Sahitya Jibana

Portal on odia literature

ତ୍ରିରଙ୍ଗା – ମାଗୁଣି ମିଶ୍ର

1 min read

ଦେଖରେ ଦେଖରେ ମୁକ୍ତ ଆକାଶରେ
ଉଡୁଛି ମୋ ଜାତି ନେତ
ନାଲି ଧଳା ପୁଣି ସବୁଜ ରଙ୍ଗରେ
କଳେବର ସୁଶୋଭିତ ।
ଶାନ୍ତି ମୈତ୍ରୀ ପ୍ରୀତି- ଭରା ଭାରତର
ଦିଏ ମୁକତିର ବାର୍ତ୍ତା
ଗଗନ ପବନ କରେ କମ୍ପମାନ
ଗାଇ ବିଜୟର ଗାଥା ।
ସାରା ଜଗତକୁ କରୁଛି ଆହ୍ଵାନ
ଆସରେ ଆଗେଇ ଆସ
ମିଳିମିଶି ଆମେ ଖେଳେଇ ଦେବାରେ
ଭୋକିଲା ମୁହଁରେ ହସ ।
ବିଘଟନକାରୀ ନୁହଇ କାହାରି
ଆବାହକ ପ୍ରଳୟର
ଶାନ୍ତି ବାର୍ତ୍ତାବହ ଜଗତେ ମହାନ
ପ୍ରଶାନ୍ତିର ଗନ୍ତାଘର ।
ମୃତ୍ତିକା ଯାହାର ସଦା ଶୁଚି ଥାଏ
ସିକ୍ତହୋଇ ଗଙ୍ଗାଜଳେ
ଯୁଗଜନ୍ମା ସବୁ ନିଅନ୍ତି ଜନମ
ପ୍ରୀତହୋଇ ଯାର କୋଳେ ।
ଏସାରା ସଂସାର ଏକ ପରିବାର
ଚିନ୍ତନେ ଯାହାର ଥାଏ
ସଂସାର ମଙ୍ଗଳେ ନିଜର ମଙ୍ଗଳ
କାମନା କରଇ ଯିଏ ।
ଷଡ଼ଋତୁ ଯହିଁ ପ୍ରକଟିତ ହୋଇ
ଲୁଚକାଳି ଖେଳ ଖେଳେ
କରେ ପ୍ରଫୁଲ୍ଲିତ ମଣିଷ ଜୀବନ
ସ୍ଵକୀୟ ପ୍ରଭାବ ବଳେ ।
ସୁଜଳା ସୁଫଳା ମୃତ୍ତିକା ଯାହାର
ଜଳ ଅମୃତର ଧାରା
ସୁନାବ୍ୟା ତଟିନୀ ନିଘଞ୍ଚ ବନାନୀ
ସ୍ଥାନେ ସ୍ଥାନେ ଯାର ଭରା ।
ସୁଗନ୍ଧି ଫୁଲର ଗୀତ କୋଇଲିର
ଝରଣାର କୁଳୁ-ଗାନ
ମହକାଇ ଦିଏ ଜୀବନକୁ ଯିଏ
ବାଣ୍ଟି ସାଧୁ, ସନ୍ଥ ଜ୍ଞାନ ।
ସେହି ମୋ ଜନନୀ ଭାରତ ବୁକୁରେ
ଛିଡା ହୋଇ ଦର୍ପଭରେ
“ତ୍ରିରଙ୍ଗା”ମୋହର ଜୟଘୋଷ କରେ
ବିଶ୍ଵ ଚାହେଁ ଚକିତରେ ।

ମାଗୁଣି ମିଶ୍ର , ସଇନ୍ତଲା

ଜିଲ୍ଲା – ବଲାଙ୍ଗୀର
ମୋ.ନ-9668699252

Copyright © Sahitya Jibana | Newsphere by AF themes.
Open chat
Hello
How can you help we?