Sahitya Jibana

Portal on odia literature

ସାଧାରଣତନ୍ତ୍ର ଦିବସ – ବିନୋଦିନୀ ଦାଶ

1 min read

ଜାନୁଆରୀ ମାସ ଛବିଶ ତାରିଖ
ଆମ ଗଣତନ୍ତ୍ର ଦିବସ,
ବରଷକେ ଥରେ ଜାତୀୟ ପତାକା
ଉଡା଼ଉ ହର୍ଷ ଉଲ୍ଲାସ,
ମନରେ ଭରି ହରଷ,
ସମ୍ବିଧାନ ସହ ଭାରତ ମାତାକୁ
ସ୍ଲୋଗାନରେ କରୁ ତୋଷ ।

ନୀତିନିୟମରେ ବାନ୍ଧି ହୋଇ ଆମେ
ନିଜେ ସରକାର ଗଢ଼ି,
ଉଣେଇଶ ଶହ ପଚାଶ ମସିହାରୁ
ନିଜ ବିବେକକୁ ତଡି଼,
ଯାଉଛନ୍ତି ଆଗେ ବଢ଼ି,
ଏପରି ଶୃଙ୍ଖଳ ରହିଥିବ ଆମ
ମାନସିକତାକୁ ବେଢ଼ି ।

ନିଜେ ନିଜ ପାଇଁ ସରକାର ଗଢ଼ି
ସିନା ହୁଅନ୍ତି ଶାସିତ,
ସ୍ବଚ୍ଛତା ସେଥିରେ କେତେ ଭାଗ ଅଛି
ମନ ଜାଣେ ତା’ ମହତ,
ସର୍ବେ ନୁହନ୍ତି ଆଶ୍ବସ୍ତ,
ସରକାର ଆମ ଗଢ଼ା ହେବା ପରେ
ଅନୁଭବ ମିଛ ସତ ।

ଆମ୍ବେଦକର ପୁଣି ଗୁଣି ନେତାମାନେ
ଗଢ଼ି ଥିଲେ ସମ୍ବିଧାନ,
ଦଶ ବର୍ଷ ପାଇଁ ଯେଉଁ ନୀତିକୁ ସେ
ଲେଖି ଯାଇଥିଲେ ଜାଣ,
ଚାଲିଛି ବି ଆଜି ଦିନ,
ନିଜ ସ୍ବାର୍ଥ ପାଇଁ କରା ଯାଉନାହିଁ
ତାହାର ପରିପର୍ତ୍ତନ ।

ଜାତୀୟ ପତାକା ତଳେ ଠିଆ ହୋଇ
ଖାଲି ଯା’ ମିଛ ସମ୍ମାନ,
ମନ ତଳେ ଥିବା ଅସୀମ ବେଦନା
ନ ହୁଏ ତା’ର ବଖାଣ,
ସୁଫଳ ହେବ ସାଧନ,
ସତ୍ୟ, ଧର୍ମ, ନ୍ୟାୟ, ଅହିଂସା ଅସ୍ତ୍ରକୁ
ସିନା କରିଲେ ବହନ ।

ଭାଷଣ ବାଜିଟା ଯାହା ମୁଖେ ମୁଖେ
ହୋଇଥାଏ ମୂଲ୍ୟବାନ,
କାର୍ଯ୍ୟକାରୀ ହେଲା ବେଳକୁ ହୁଅଇ
ତା’ର ବିପରୀତ ଜାଣ,
ସର୍ବେ ଜାଗ୍ରତ ହୋଇଣ,
ଗଣତନ୍ତ୍ର ଦିବସର ଶୁଭଲଗ୍ନେ
ସପଥ ସୁପଥେ ଧ୍ୟାନ ।

ବିନୋଦିନୀ ଦାଶ
କୁରୁଆଁ, ମୁଗପାଳ, ଯାଜପୁର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?