Sahitya Jibana

Portal on odia literature

ତ୍ୟାଗ ର ଅନ୍ୟନାମ – ଗଗନ ବିହାରୀ ନାୟକ

1 min read
seashore under white and blue sky during sunset

ବସନ୍ତ ବିଭୋର ସଞ୍ଜରେ ଲୁଚକାଳି ଖେଳୁଥିଲା ଫୁଲେଈ ଫଗୁଣ । ଡେଣା ଲଗା ବୟସ ଉଡିବାକୁ ଲାଗିଥିଲା ଏ ଡାଳରୁ ସେ ଡାଳ । ହସୁଥିଲା ଦୂର ଆକାଶର ଜହ୍ନ ଝାପସା ଅନ୍ଧାର ଭିତରେ ପାର୍କଟି କ୍ରମଶଃ ଲୁଚି ଲୁଚି ଆସୁ ଥିଲା । ସେଇ ହାଲକା ଅନ୍ଧାର ଭିତରେ ସହପାଠିନୀ ଆଭା ରାୟ ରମେଶକୁ ଦେଖି ନେଇଥିଲା । ଏଇ ନୂଆ ହୁଆ ମେଡିଆ ଷ୍ଟଡିରେ ନାଁ ଲେଖିଛନ୍ତି ଦୁହେଁ । ଆଭା ବିନା ସଙ୍କୋଚରେ ଆସି ରମେଶ ପାଖରେ ବସି ଗପିବାକୁ ଆରମ୍ଭ କଲା ପଢାଯାଇଥିବା ବିଷୟ ବସ୍ତୁରୁ କିଛି । ରମେଶ ଭାବି ପାରୁ ନ ଥିଲା ଏଇ ଦୁଇ ତିନି ମାସର ସମ୍ପର୍କ ଭିତରେ ଆଭା ତାକୁ ଏତେଭଲ ପାଇ ବସିଛି ଯେ, ଯୁଆଡେ ଗଲେ ତା ପିଛା ଛାଡୁ ନାହିଁ । ବୟସ ରଙ୍ଗରେ ରଙ୍ଗାବୋଳା ମୁହୂର୍ତ୍ତ ସବୁ କେମିତି ସାତ ରଙ୍ଗର ବର୍ଣ୍ଣାଳୀ ସୃଷ୍ଟି କରୁଥିଲା ଦୁଇଟି ଆଖିରେ । ଯୌବନର ଉତ୍ତାଳ ଜଳରେ ଭାସୁଥିଲା ଦୁଇଟି ମନ । ଆଭା ପଚାରୁଥିବା ପ୍ରଶ୍ନର ଉତ୍ତର ଦେଉ ଦେଉ ଯେମିତି ଆନମନା ହେଇ ଯାଉଥିଲା ରମେଶ । ତା’ପୁରୁଷତ୍ଵ ସଞ୍ଜମତାକୁ ବାରମ୍ବାର ଅଣାୟତ କରୁଥିଲା ଆଭାର ଆଖି ଦୁଇଟି । ଆଉ ସେଇ ପାର୍କର ସଞ୍ଜ ଦୁଇଜଣକୁ ଲୁଚେଇ ଦେଇଥିଲା ତା ପଣତରେ କେଇ ମୁହୂର୍ତ୍ତ ପାଇଁ ।ତାପରେ ଦୁଇ ବର୍ଷ କେମିତି କଟିଗଲା ଜାଣି ହେଲା ନାହିଁ । ଆଭା ପାଇଗଲା ଗୋଟିଏ ଘରୋଇ ଟିଭି ଚାନେଲରେ ଚିଫ ଏଡିଟର ଆଉ ରମେଶ ଫେରି ଆସିଲା ଗାଁକୁ । ଅନେକ ସମୟରେ ରମେଶ ଭାବେ ଅଭାର ଭଲପାଇବାକୁ ପୁନର୍ଜୀବିତ କରି ତା ହୃଦୟରେ ଗୋଟେ ସ୍ଵତନ୍ତ୍ର ଜାଗା ଦାଖଲ କରିବାକୁ କିନ୍ତୁ ପାରେନି । ସାମାଜିକ ଆକଟ ପ୍ରାଚୀର ତା ପୌରୁଷତ୍ଵର ପଥ ରୂଦ୍ଧ କରୁ ଥିଲା ବାର ବାର । ସେ ଆଗକୁ ଯେତିକି ଯିବାକୁ ଚାହୁଁ ଥିଲା ସେତିକି ପଛକୁ ଫେରି ଦେଖୁଥିଲା ଯେଉଁ ପଛରେ ଥିଲା ତା ଭଲ ପାଇବାର ପ୍ରତିବନ୍ଧ । ତା ବାପର ଆଶାୟୀ ଆଖି ଓ ମା’ର ମମତା ଭରା ହୃଦୟ । ବଂଶ ପରମ୍ପରା ଓ ଆଭିଜାତ୍ୟ ଭିତରେ ଗଢି ଉଠିଥିବା ଜାତିଗତ ବିଭେଦର ପ୍ରାଚୀର ।
କିଛି ଦିନ ଗାଁ’ରେ ରହିବା ପରେ, ଗୋଟିଏ ଘରୋଇ ପ୍ରେସରେ ରମେଶକୁ କାମଟିଏ ମିଳିଛି । ନିଜର ଗୁଜୁରାଣ ମେଣ୍ଟେଇବାକୁ ଯାଇ ସେ କାମ କରୁଛି । ତା ସହିତ ଛୋଟ ଛୋଟ ଟେଲି ଫିଲ୍ମ କରି ବାପ ମା’ ମନରେ ହସ ଭରି ଦେଇଛି । ରମେଶ ଅନିଚ୍ଛା ସତ୍ତ୍ୱେ,ମା’ ବାପ ତାକୁ ବାଧ୍ୟକରି ସୁନ୍ଦର ଦେଖି ସଞ୍ଜୁକ୍ତାକୁ ବର୍ଷେ ହେବ ବୋହୁ କରି ଆଣିଛନ୍ତି । ଆଜି ସେ ଛୁଟି ନେଇ ଗାଁକୁ ଆସିଛି । କେହି ଜଣେ ଆସି କହିଗଲା-ଆଜି ଗାଁ’ରେ ଘଟି ଯାଇଥିବା ଝଗଡାକୁ ନିୟୁଜ କଭରେଜ ପାଇଁ କୁଆଡେ ବଡ ବଡ ମେଡିଆ ଆସୁଛନ୍ତି । ରମେଶ ଖୁସି ହେଇ ବାହାରିଲା ଘଟଣା ସ୍ଥଳକୁ । ଲୋକାରଣ୍ୟ ଭିତରେ ବାରମ୍ବାର ସେ ଦେଖୁଥିଲା ତା’ର ଅତୀତରେ ଭଲ ପାଇଥିବା ପ୍ରେମିକା ଆଭା ରାୟର ତୀକ୍ଷ୍ନ ତେଜ ମୁହଁଟା । ସେଇ ଭିଡ ଭିତରେ ରୂପା ଥାଳି ଭଳି ଝଟକୁଥିବା ତା କୁମାରୀତ୍ଵର ଆଭା ଫୁଟି ଦେଖାଯାଉଥିଲା । ଗାଁ ଲୋକଙ୍କୁ, ସେ ପଚାରି ଚାଲିଥିଲା ପ୍ରଶ୍ନ ଆଉ ସେ ପ୍ରଶ୍ନ ଉତ୍ତର ଦେବାରେ ସକ୍ଷମ ନ ଥିଲେ ଗାଁ ଲୋକେ । ସେଇ ଭିଡ ଭିତରୁ ରମେଶ ଜୋରରେ ପାଟି କରି ଉଠିଲା-ସାମ୍ବାଦିକ ମହାଶୟା- ମୁଁ କହିବି । ସମସ୍ତେ ଫେରି ଚାହିଁଲେ ପଛକୁ । ରମେଶକୁ ଦେଖି ଆଭା ର ବିଗତର ସେଇ ଝାପସା ସ୍ମୃତି ଚେଇଁ ଉଠିଲା । ଆରେ!ରମେଶ …..ତୁମେ !!!
ହଁ, । ଏ ଗାଁରେ ଘର ବୋଲି କେତେ ଥର କହିଛି – ଦୁହିଁଙ୍କ ଅନ୍ତରଙ୍ଗ ଆଳାପ ଭିତରେ କଟିଛି କିଛି ସମୟ ।ତା ସହିତ ମେଡିଆ ଖୋଜୁଥିବା ଅଡୁଆ ସୁତାର ଖିଅ ଯେତେ କହିଛି ଆଭାକୁ ରମେଶ । ସେ ତାର ସେଇ ପ୍ରଫେସନାଲ ସାଙ୍ଗ । ତାପରେ ଆଭା ପଚାରିଛି ସବୁ ବିଷୟ ରମେଶକୁ ।

ଏ ଘଟଣା ସବୁ ସତ ।

ହଁ, କିନ୍ତୁ ଏ ସବୁ କଥା କେହି କହିବାକୁ ପ୍ରସ୍ତୁତ ନାହାନ୍ତି । କାରଣ ଆମେ ମୁକ, ବଧିର ଓ ଅନ୍ଧ ।
ତେବେ ସତ କଥାକୁ ଲୁଚେଇ ଏ ମାନେ ପାଉଛନ୍ତି କଣ ?
-ପାଇବେ ଗୁଳି । ଗୁଳି ପାଇବେ ଆଭା । ଯେଉଁଠି ଗଣତନ୍ତ୍ର କଣ୍ଠ ରୁଦ୍ଧ ।
ଆଭା ସେଦିନ ଅତି ଅନ୍ତରଙ୍ଗ ସାଥି ରମେଶ ସହାୟତାରେ ସଠିକ ଖବର କଭରେଜ କରି ନେଇ ଆସିଥିଲା ।ଆଭା ଫେରିଯାଇଥିଲା ଓ ଦୁଇ ଦିନ ପରେ ନିଜ ସ୍ତ୍ରୀ ସଞ୍ଜୁକ୍ତାକୁ ସାଥିରେ ଧରି ସହରକୁ ଫେରିଲା ରମେଶ । ସେଦିନ ପ୍ରେସ ଅଫିସରୁ ଶୀଘ୍ର ଫେରି ଆସି ବାକୁ ସଞ୍ଜୁକ୍ତାକୁ କହି ବାହାରି କାମକୁ ବାହରି ଯାଇଥିଲେ ରମେଶ । ତା ପରେ ସାରା ଦିନ ବ୍ୟସ୍ତ ରହିଥିଲେ କାମରେ । କେତେବେଳେ ଦିନ ନଇଁ ଯାଇଥିଲା ଜାଣିପାରିନଥିଲେ ସେ ।ଶୀତ ଜୁଡୁବୁଡୁ ସଞ୍ଜ ତିନିଟା ସମୟରେ ଅସ୍ତରାଗର ବିଛୁରିତ ମୁଠା ମୁଠା ରକ୍ତିମ ଲାଲିମାର ଆଭାରେ ଆକାଶ ହସୁଥିଲା । କିଛି ଦୂରରେ ହସୁଥିଲା ଆଭା ରାୟ ।

ଆରେ! ଆଭା ତୁମେ ଏମିତି ଅସମୟରେ ।

ସାଙ୍ଗ ପାଖକୁ ସାଙ୍ଗ ଆସିବାରେ ସମୟ କଣ ଥାଏ ରମେଶ । ଏଇ ଅନ୍ଧାର କୋଣରେ ବସି ବହି ମାନଙ୍କ ସହିତ କେତେ କଥା ହେବ । କେତେ ନିର୍ଜୀବ ଶବ୍ଦ ଗୁଡାକ ସାଥିରେ କାନ କୁହା ଭଳି କଥା ହେବ । ଆସ – ଏ ଅନ୍ଧାର କୋଣ ଠାରୁ ସେ କୃଷ୍ଣ ଚୂଡା ଛାଇ ତ ବେଶ ସୁଶୀତଳ ।

ହେଲେ ମୁଁ…..

ଜାଣେ ବିବାହିତ । ହେଲେ ଲାଇଫ ଇନ ଲିଭିଂ ପାଇଁ କିଏ କଣ ମନା କରିବ । ମୁଁ ସେଇ ଆଭା ରମେଶ । ଯିଏ ସେଦିନ ତୁମର ଥିଲା ଆଉ ଆଜି ବି ତୁମର । ସେ ପୁରୁଣା ପରମ୍ପରା ସବୁ ମଣିଷ ତିଆରି କାରଖାନାର ଗୋଟିଏ ଗୋଟିଏ ମଡେଲ । ପ୍ରାଗୈତିହାସିକ ଯୁଗକୁ ଦେଖ । ଦୁହେଁ ଏମିତି କଥାରେ ମାଜି ଯାଇଥିଲେ ଯେ, କେତେବେଳୁ ପ୍ରେସରେ କାମ କରୁଥିବା ବାଇଣ୍ଡର ଚା’ ଦୁଇଟି ଆଣି ଠିଆ ହେବା କଥା ଭୁଲିଯାଇଥିଲେ । ଏହି ସମୟ ଭିତରେ ସେ ସାଥିରେ ଫୋନ ରଖିବା ଭୁଲି ଯାଇଥିଲେ । ତାପରେ ଆଭାର ହାତ ଧରି ବାହାରି ଯାଇଥିଲେ ହସି ହସି । ପ୍ରେସ ରେ କାମକରୁଥିବା ବାଇଣ୍ଡର ଚାହିଁ ରହିଥିଲା ଅପଲକେ…… ।
କେତେ ଥର ଫୋନ କଲାଣି ସଞ୍ଜୁକ୍ତା । ରମେଶ ଉଠଉ ନାହାନ୍ତି । ମନରେ ନାନା ପ୍ରକାର ଆଶଙ୍କା । ନୂଆ ନୂଆ ବାହାଘର ହୋଇଛି । ଅଫିସରୁ ଫେରିବା ଡେରି ହେବାର ଥିଲେ ନିଜ ଆଡୁ କହି ଦିଅନ୍ତି । ସଞ୍ଜୁକ୍ତାର ଅଭିମାନର ସମାଧାନ କଲା ପରେ ଯାଇ ଫୋନ ରଖନ୍ତି । ଆଜି ତିନି ଘଣ୍ଟା ଡେରି ହେଲାଣି । ଆଗରୁ ରିଙ୍ଗ ହେଉଥିଲା ଏବେ ସୁଇଚ ଅଫ ହେଇଗଲାଣି ।
ସଞ୍ଜୁକ୍ତା ରମେଶ କାମ କରୁଥିବା ଅଫିସର ଲାଣ୍ଡ ଲାଇନ ନମ୍ବରକୁ ଫୋନ ଲଗେଇଲା । ସେପଟୁ ଯାହା ଶୁଣିଲେ, ଅନେକ ବେଳୁ ଅଫିସରୁ ବାହାରି ଗଲେଣି ରମେଶ ।

ରାତ୍ରି ଆଗତ ପ୍ରାୟ ।କେତେ ସମୟ ଅପେକ୍ଷା କରିଥାନ୍ତା ସଞ୍ଜୁକ୍ତା । ରମେଶର ଅନୁପସ୍ଥିତି ବ୍ୟତିବ୍ୟସ୍ତ କରୁଥିଲା ତାକୁ । ସେ ଅଫିସିରେ ବାଇଣ୍ଡର କାମକରୁଥିବା ଲୋକଟି କହିବା କଥା କେବେ ମିଛ ନୁହେଁ ବୋଲି ଭାବି ନେଇଥିଲା ସଞ୍ଜୁକ୍ତା । ତେବେ ରମେଶ କଣ ସଞ୍ଜୁକ୍ତାକୁ ପ୍ରତାରଣା ଦେଇଛନ୍ତି ବାହା ହେବା ପୂର୍ବରୁ ତାଙ୍କ ବାସ୍ତବ ଅକୁହା କଥା ସବୁ ଚାପି ରଖି ମିଛ ଅଭିନୟ କରି ମିଛି ମିଛିକା ବାହା ହେଇ ତାଙ୍କ ଜୀବନ ସହିତ ଖେଳିଛନ୍ତି ।ଏମିତି ଅନେକ ଅଡୁଆ ପ୍ରଶ୍ନରେ ସେ ଗୁଡେଇ ହେଇ ତାର ଉତ୍ତର ଖୋଜିପାଉନଥିଲେ । ତେଣୁ ସେ ନିଷ୍ପତ୍ତି ନେଲା ରମେଶଙ୍କୁ ସେ ଖୋଜିବାକୁ ଯିବେ । ନିରୋଳାରେ କଥା ହେବାପାଇଁ ଓ ଅନ୍ତରଙ୍ଗ ମିଳାମିଶା ପାଇଁ କେବଳ ପାର୍କ ହିଁ ଏକ ମାଧ୍ୟମ ।

ସ୍ତବ୍ଧ ଅପରାହ୍ନ ତାତ୍ସଲ୍ୟ କରି ହସୁଥିଲା ସଞ୍ଜୁକ୍ତାକୁ ଦେଖି । ସଞ୍ଜୁକ୍ତା ଜଳୁଥିଲା ଏକ ଆଦେଖା ଅଗ୍ନି ଶିକ୍ଷାରେ । ସେ ଭାବୁଥିଲେ ଲାଇଫ ଇନ ଲିଭିଙ୍ଗରେ ଛନ୍ଦି ହେଇ ମୋତେ ପ୍ରତାରିତ କରିବା ଅପେକ୍ଷା ରମେଶକୁ ସେ ଡ୍ରାଇଭସ କରି ଅନ୍ତତଃ ବାକି ସମୟ ଶାନ୍ତିରେ ବଞ୍ଚିବେ । ଗାଡିରେ ଯିବା ବାଟରେ ଅନ୍ୟ ପୁଅ ଝିଅଙ୍କ ଅବାଧ ମିଳାମିଶା ଦେଖି ତାଙ୍କ ପ୍ରତି ଘୃଣା ଆସୁଥିଲା । ତାଙ୍କ ଗଳାରେ ପଡିଥିବା ମଙ୍ଗଳ ସୂତ୍ର, ସୀମନ୍ତ ସିନ୍ଦୁର ଓ ହାତର ଶଙ୍ଖାକୁ ଦେଖି ଆଖିରେ ଜକେଇ ଆସୁଥିଲା ଲୁହ । ଗାଡିରୁ ଓହ୍ଲେଇ ଯାଉ ଯାଉ ପାର୍କ ଆଗରେ ଠିଆ ହେଇଥିଲେ ରମେଶ ଓ ଆଭା । ଆଭାକୁ ଘେରି ରହିଥିଲେ କେତେକ ସ୍ଵେଚ୍ଛା ସେବି ସଂଗଠନ ଓ ତାଙ୍କ ଅଟୋଗ୍ରାଫି ନେବାକୁ ପାଗଳ ଜନ ସମୁଦ୍ର । ସଞ୍ଜୁକ୍ତା ବିସ୍ମିତ ହୋଇ ଚାହିଁରହିଥିଲା । ସେ ଭାବୁଥିଲା-ଏମିତି ହୁଅନ୍ତାନିକି ସେ ବି କିଛି ସମୟ ତା ସାଙ୍ଗ ସାଥି ସହିତ ମିଶି କିଛି ଦାମ୍ପତ୍ୟ ଜୀବନର ଅଧ୍ୟାୟ ବାଣ୍ଟି ପାରନ୍ତା । କିଏ ଜାଣେ କେତେ ବେଳେ କଣ ହେବ । ସମୟର ପ୍ରତିଟି ମୁହୂର୍ତ୍ତକୁ ମନ ଭରି ଉପଭୋଗ କରିବାରେ ଭୁଲ କେଉଁଠି । ସେଇ ଗହଳି ଭିତରୁ ସଞ୍ଜୁକ୍ତାକୁ ଦେଖି ଧାଇଁ ଆସିଥିଲେ ରମେଶ । ରମେଶକୁ ଦେଖି ଆନାନ୍ଦାଶ୍ରୁ ଝରି ଯାଇଥିଲା ସଞ୍ଜୁକ୍ତା ଆଖିରୁ । ଏ ସ୍ନେହ ସତରେ ଅନାବିଳ –ଚିର ଶାଶ୍ଵତ ଓ ନିର୍ମଳ ।

ଦୂରରୁ ଆଭା କ୍ୟାମେରାରେ କିଛି ଫଟୋ ଉତ୍ତୋଳନ କରି ହସି ହସି ଲୋଟି ଯାଉଥିଲେ । ସଞ୍ଜୁକ୍ତା ଭାବୁଥିଲେ ସେ ଯେଉଁ ଆଖିରେ ରମେଶକୁ ଦେଖୁ ଥିଲେ ତାହା ସଂପୂର୍ଣ୍ଣ ଭୁଲ । ଦୁନିଆଁକୁ ଯେମିତି ଦେଖିବ ସେ ସେମିତି ଦେଖାଯିବ । ସମୟ ସହିତ ତାଳ ମିଳେଇ ତାଙ୍କୁ ବଞ୍ଚିବାକୁ ହିଁ ହେବ ।
ସେଦିନ ରାତ୍ରି ଭୋଜନ ଆଭା ହିଁ ବନ୍ଦୋବସ୍ତ କରିଥିଲା ।
ରାତିଟା ନିରବରେ ଶୋଇ ଯାଇଥିଲା ନିଘୋଡ ନିଦରେ…
÷÷÷÷÷÷÷÷÷÷÷÷÷÷÷÷÷÷÷÷÷÷÷÷÷÷÷÷÷
ଗାଳ୍ପିକ- ଗଗନ ବିହାରୀ ନାୟକ
୯୵୧୦୮,ବିଡିଏ କଲୋନୀ,
ଚନ୍ଦ୍ରଶେଖର ପୁର, ଭୁବନେଶ୍ବର
ଜିଲ୍ଲା-ଖୋର୍ଦ୍ଧା (ଓଡିଶା)-୭୫୧୦୧୬
ମେଲ୍-gaganbihari1966@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?