ଗାଁ ଦାଣ୍ଡ ଧୁଳି – ଡଃ ପଦ୍ମଲୋଚନ ରାଉତ
1 min readସଞ୍ଜ ନଇଁ ଆସେ ବେଳ ବୁଡ଼ିଯାଏ
ମନେପଡେ ମୋର ଗାଆଁ
ପ୍ରବାସରେ ଥାଇ ସ୍ମରୁ ଅଛି ମୁହିଁ
ପାଶୋରି ନାହିଁ ତା ନାଆଁ
ଏଇ ମୋ ଜନମ ମାଟି
କେଡେ ଆପଣାର ତା’ ପାଣି ପବନ
ଧାନ କ୍ଷେତେ ଅକ୍ଷି ମୁଠି l 1
ଏଇଠି ବିତିଛି ମୋ ବାଲ୍ୟ ଜୀବନ
ଗାଆଁ ଦାଣ୍ଡ ଧୂଳି ଘରେ
ସେ ଅତୀତ ସ୍ମୃତି ମନେପଡେ ନିତି
ଆଷାଢ଼ ବରଷା ଧାରେ
ମନେପଡେ ସବୁ ଆଜି
ଗାଆଁ ଠାରୁ ଦୂରେ ଥାଇ ପ୍ରବାସରେ
ମରୁଅଛି ଖୋଜି ଖୋଜି l 2
ଏଇଠି ଜଳିଛି ଏନ୍ତୁଡ଼ି ମୋ’ର
ଅଛି ଏଠି ଷଠିଘର
ଗାଁର ମଶାଣି ଅନ୍ତିମ ଆଶ୍ରୟ
ପଵିତ୍ର ସରଗ ଦ୍ୱାର
ଜଳେ ଯେବେ ଏଠି ଚିତା
ପଖାଳ କଂସାରେ ଏ ରଙ୍କ ଜୀବନ
ଗାଆଁ ମୋ ଜଗତ ଜିତା l 3
ଗାଆଁ ଦେବାଳୟେ ମଙ୍ଗଳ ଆଳତି
ହରି ହାଟେ ଭାଗବତ
ଚଉରା ମୂଳରେ ଜଳେ ସଞ୍ଜ ବତୀ
ବାଜି ଉଠେ ଶୁଭ ଶଙ୍ଖ
ବୋଉର ପଣତ କାନି
ସ୍ନେହ ଶରଧାରେ ବାନ୍ଧିଅଛି ମୋତେ
ଦେଇଛି ମମତା ପୁଣି l 4
ଧାନ କ୍ଷେତ ହସେ ବରଷା ପରଶେ
ଗଛ ମିଠା ଜାମୁ କୋଳି
ଫଗୁଣ ମଳୟ କେଡେ ସୁଖମୟ
ମନେପଡେ ରଜ ଦୋଳି
ଗାଆଁ ମାଟିର କଥା
ସଂସାରୀ ଜୀବନେ ଏକାନ୍ତ ବିଜନେ
ଗାଏ ମୋ କଲମ ଗାଥା l 5
ଗାଁ ଦାଣ୍ଡ ଧୂଳି ଚନ୍ଦନ ଠୁଁ ବଳି
ଦେହେ ମୁଁ ହୋଇଛି ବୋଳି
ପୁନେଇଁ ପରବେ କେତେ ପିଠା ପଣା
ପାରିବି କି ସତେ ଭୁଲି
ସବୁ ଏଠି ଆପଣାର
ପ୍ରବାସରେ ଥାଇ ଏ ପୁଣ୍ୟ ମାଟିକୁ
କରୁଛି ଶତ ଜୁହାର l 6
*****
ଡଃ ପଦ୍ମଲୋଚନ ରାଉତ
ଇଂରାଜୀ ଅଧ୍ୟାପକ,
ଗୋପବନ୍ଧୁ ଡିଗ୍ରୀ କଲେଜ, କାଲିମେଳା,
ମାଲକାନଗିରି
ଇ-ମେଲ୍: drplrout@gmail.com