Sahitya Jibana

Portal on odia literature

ରଙ୍ଗ ବୁଢୀ – ସାନ୍ତନୁ ବିଶୋଇ

1 min read

ମାନସ ସାଙ୍ଗ ଗହଣରେ ନିଜ ଲକ୍ଷ୍ୟ ଭେଦର କାରନାମା ବଖାଣୁଥାଏ, ରଙ୍ଗ ବୁଢ଼ୀ ମୁଣ୍ଡକୁ ଲକ୍ଷ୍ୟ କରି ମାଇଲି ଗୋଟିଏ ଟେକା।ସିଧା ବାଜିଲା ତା’ କପାଳରେ।ଧାର ଧାର ରକ୍ତ ବହି ଯାଉଛି। ଯେତେବେଳେ ଦେଖିଲେ ପଇସା ଦିଅ,ପଇସା ଦିଅ। ମୁଁ କିଛି ଖାଇନି। ଶଳା, ମିଛ କହିବାକୁ ଆଉ ଲୋକ ପାଏନି। ଆମ ଲୋକାଲ ପିଲାଙ୍କୁ ହଇରାଣ କରୁଛି।

ରଙ୍ଗ ବୁଢ଼ୀ ପ୍ରତି ଲୋକଙ୍କର ଧାରଣା ଅଲଗା ପ୍ରକାର। ଭଙ୍ଗାର ଵାଲା ନିତେଇ କହୁଥିଲା, ରଙ୍ଗବୁଢ଼ୀ ପାଖରେ ଭଙ୍ଗାର/ରଦ୍ଦି ବିକି ବିକି ଅନେକ ଟଙ୍କା ରଖିଛି। ଖବରକାଗଜ ରେ ବମ୍ବେର ଯୋଉ ଧନଶାଳୀ ଭିଖାରୀ କଥା ବାହାରିଥିଲା ସେଇ ଭିଖାରୀ ଠାରୁ ରଙ୍ଗ ବୁଢ଼ୀ କୁଆଡେ ଆହୁରି ଧନୀ। ରଙ୍ଗ ବୁଢ଼ୀର ଟଙ୍କା ବୁଜୁଳା ନିଜେ ନିତେଇ ଦେଖିଛି। ଅନ୍ୟ ମାନଙ୍କୁ ଦେଖେଇଛି।ତା’ ପରେ ରଙ୍ଗ ବୁଢ଼ୀର ସମ୍ପତ୍ତିକୁ ନେଇ ଆରମ୍ଭ ହୋଇଛି ଚାହା ଖଟିରେ ଚର୍ଚ୍ଚା। ମାଇପିଙ୍କ ଫୁସୁରୁ ଫାସୁରୁ ଭିତରେ ଚର୍ଚ୍ଚା।
ରଙ୍ଗ ବୁଢ଼ୀ ସଂକ୍ରାନ୍ତରେ ଓଡ଼ିଶାର ଛୋଟ ମୋଟ ଖବରକାଗଜରେ ବି ବାହାରିଥିଲା। ଛୋଟିଆ ମୋଟିଆ ଗାଉଁଲି କବି ଲେଖକମାନେ ରଙ୍ଗ ବୁଢ଼ୀ ବିଷୟରେ ଚାରିଧାଡ଼ି ଲେଖି ବହୁତ ବାଃ ବାଃ ସାଉଁଟିଲେଣି।

ଆଜି ସକାଳର ନଗଦ ଘଟଣା। ରଙ୍ଗ ବୁଢ଼ୀ ମରି ପଡିଛି। କିଏ କହୁଛି ବୁଢ଼ୀର ଟଙ୍କା ନେଇ କୌଣସି ଦୁର୍ବୁର୍ତ୍ତ ହତ୍ୟା କରିଛି। କିଏ କହୁଛି ଭଙ୍ଗାର/ରଦ୍ଦି ମାଲିକ ନିତେଇ ଟଙ୍କା ଲୋଭରେ ମାରିଦେଇଥିବ। ଆଉ କିଏ କିଏ କହୁଛନ୍ତି, କିଛି ନଖାଇ ନ ପିଇ ରଙ୍ଗବୁଢ଼ୀ ମରିଯାଇଛି।

ଗୋଟିଏ ଭିକାରୁଣୀ ରଦ୍ଦି ବିକାଳି ବୁଢ଼ୀର ମୃତ୍ୟୁ ପାଇଁ ଏତେ ଚର୍ଚ୍ଚା କାହିଁକି??
ତା’ଟଙ୍କା ପାଇଁ??
ନା’
ମାନବିକତା ପାଇଁ?

ଯଦି ଟଙ୍କା ପାଇଁ…. ଭିକାରୁଣୀ ପ୍ରତି ଥିବା ମଣିଷର ଲୋଲୁପ ଦୃଷ୍ଟିକୁ ମାନିବାକୁ ପଡିବ..!!
ମାନବିକତା??
ଯଦି ମାନବିକତା ପାଇଁ, ତେବେ ନଖାଇ ନ ପିଇ ମରିବା କଥା ଚର୍ଚ୍ଚାକୁ ଆସୁଛି କାହିଁକି??

କୁଢ଼ କୁଢ଼ ଲୋକ ରଙ୍ଗ ବୁଢ଼ୀର ଶବ ପାଖରେ ଗଦା ହୋଇଗଲେଣି। ପୋଲିସ ଭ୍ୟାନ ଏବଂ ଆମ୍ବୁଲାନ୍ସ ଆସି ପହଂଚି ଗଲାଣି। ପୋଷ୍ଟମଟମ କରାଯିବ।

ମାନସ ଦେଖିଲା ଅନତି ଦୂରରେ ଦୁଇ ଚାରିଜଣ ଲୋକ ଗୋଟିଏ ପିଲାକୁ ବେଢ଼ି ରହିଛନ୍ତି, ପିଲାଟି କିଛି କହି ଚାଲିଛି। ସେ ଆଡକୁ ମାନସ ମୁହାଁଇଲା। ପିଲାଟି କହି ଚାଲିଥାଏ:- ରଙ୍ଗ ବୁଢ଼ୀ ନିତେଇ ସାଉକାରଙ୍କୁ ରଦ୍ଦି/ଭଙ୍ଗାର ବିକ୍ରି କରିବା ବନ୍ଦ କରି ଦେଇଥିଲା। ପ୍ରତିଶୋଧ ପରାୟଣ ହୋଇ ନିତେଇ ସାଉକାରେ ନିଜ ଟଙ୍କା ଥାଳକୁ ରଙ୍ଗ ବୁଢ଼ୀର ବୋଲି ଅପପ୍ରଚାର କରିଥିଲେ।ଯାହା ଫଳରେ ରଙ୍ଗ ବୁଢ଼ୀକୁ ନା ଭଙ୍ଗାର ଜିନିଷ କ୍ରୟ ପାଇଁ ଭଙ୍ଗାର ମିଳିଥିଲା ନା’ ଉଦର ପୂର୍ତ୍ତି ପାଇଁ ଭିକ..
ବରଂ ଖବରକାଗଜ ଓ ଛୋଟ ଛୋଟ କବି ଲେଖକ ମାନଙ୍କ ଅପ ପ୍ରଚାର ପାଇଁ ରଙ୍ଗ ବୁଢ଼ୀକୁ କେହି ଖାଇବାକୁ ସୁଧା ଦେଉ ନଥିଲେ। ମିଳୁଥିଲା ଦୁର୍ ଦୁର୍ ହଟ୍ ହଟ୍ ର ମୁହଁ ଛିଞ୍ଚିଡା କଥା।ଅବାଞ୍ଛିତ ଟେକା ପଥର ମାଡ଼।
ମୁଁ ଶୁଣିଛି, ରଙ୍ଗ ବୁଢ଼ୀ ମଲା ବେଳକୁ ଖାଲି କହୁଥିଲା ମୁଠାଏ ଭାତ ଦିଅ, ମୁଁ ଦଣ୍ଡେ ନିମିଷେ ବଞ୍ଚି ଯାଏ।

ମାନସ ନିଜକୁ ଦୋଷୀ ମାନୁଥିଲା। ଚିନ୍ତା କରୁଥିଲା ମୁଁ ରଙ୍ଗ ବୁଢ଼ୀର କଥାକୁ ହୃଦୟଙ୍ଗମ କରି ଯଦି ଟେକା ପଥର ମାଡ ବଦଳରେ ମୁଠାଏ ଭାତ ଦେଇ ଥାଆନ୍ତି ହୁଏତ ରଙ୍ଗ ବୁଢ଼ୀ ଆଜି ଜୀବିତ ଥାଆନ୍ତା।

ସାନ୍ତନୁ ବିଶୋଇ
ଦଣ୍ଡୋର, ନୟାଗଡ଼
ଇ-ମେଲ୍ : bisoisantanu78@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?