ବିଦଗ୍ଧ ପ୍ରେମ – କେଶବ ଚନ୍ଦ୍ର ନାୟକ
1 min readମୁଁ ଭୁଲି ନି ତୁମକୁ
ମନେ ମନେ ଖୋଜୁଛି ତୁମ ଅସ୍ତିତ୍ବ
ତୁମ ରୂପ…..ତୁମ ହସ
ତୁମ କଥା…. ତୁମ ମାନ ଅଭିମାନ
ନାଚି ଉଠୁଛି ଆଖି ଆଗେ
ମୁଁ ଝରୁଛି ତୁମକୁ
ପ୍ରତି ପଲକରେ
ପ୍ରତିଟି ସ୍ପନ୍ଦନରେ
ଶୟନେ ସପନେ
ଏଇତ ଭଲ ପାଇବାର ବ୍ଯାଧି
ହୃଦୟର ଏକ ଅକୁହା ଯନ୍ତ୍ରଣା
ଦେଇଗଲ ତୁମେ ଆଜୀବନ…!!
ତୁମେ ଭୁଲି ଗଲ ବୋଧେ ମତେ
ଭଲ ପାଇବାର ଛଳନା କରି କରି
ଚାଲି ଗଲ କାହିଁ କେତେ ଦୂର
ମତେ ପର କରି
ଦେଇଗଲ ମୋ ଆଖିରେ
ଅଦିନ ଶ୍ରାବଣର ଅବିଶ୍ରାନ୍ତ ଅଶ୍ରୁ
ମୁଁ ଏବେ ଅଶାନ୍ତ ଝଡରେ
ନିରାଶ୍ରୟ ପଥିକ ପରି
ପ୍ରୀତି ଜୁଇରେ କୁହୁଳି କୁହୁଳି ଜଳୁଛି
ନିରବ ନିର୍ଯାତନାରେ….!!
ପ୍ରେମ ପଥ ଏତେ ସହଜ ନୁହେଁ
ଆକାଶ ପରି ଛାତିଟିଏ
ସାଗର ପରି ମନଟିଏ
ନଈ ପରି ମିଳନଟିଏ
ଆଉ ପାହାଡ ପରି ଧୈର୍ଯ୍ଯଟିଏ
ଆବଶ୍ଯକ…!!
ନତୁବା ପ୍ରେମ
ସାରା ଜୀବନ
ଅଶାନ୍ତ ଅଗ୍ନି ସମ ଜାଳୁଥିବ
ସର୍ବାଙ୍ଗ ଶରୀର
ଯାହାକି ଅକୁହା ବେଦନାର
ଅଲେଖା ଉପନ୍ଯାସ ପରି
ମନେ ମନେ ପଢିବାର
ଦୁର୍ବାର ଲାଳସା ନେଇ
ସ୍ବପ୍ନମାନେ ଫିକା ପଡୁଥିବେ
ଅମା ଅନ୍ଧକାରେ ଛଟପଟ ହୋଇ…!!
କବି କେଶବ ଚନ୍ଦ୍ର ନାୟକ
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)