Sahitya Jibana

Portal on odia literature

ପ୍ରେମ – ପ୍ରତାପ ପଣ୍ଡା

1 min read

ପ୍ରେମିକାର  ନୟନଟା              ଅଭୁଲା ସେ ଚାହାଣୀ ଟା
ରହିଯାଏ ସାରା ଜନ୍ମ ଅଲିଭା ହୋଇ,
ଶାମୁକା ରୁ ସତେ ମୋତି            ଝଲସାଏ ହୋଇ ଜ୍ୟୋତି
ଅମୂଲ୍ୟ ରତନ ସମ ଦୂରରେ ଥାଇ,
ହୋଇ ସେ ପ୍ରେମର ପ୍ରତୀକ,
ବିଚଳିତ କରେ ହୋଇ ଶେଷ ସନ୍ତକ ।୧ ।

ମନେପଡେ ପୁଣି ତାର                  ନୟନରେ କଳା ଗାର
ସତେକି ସେ ସୁଶୋଭିତ ନଦୀର  ଧାର,
ବିନା ଜଳେ ସତେ ସିଏ                 ତୃଷାର୍ତ୍ତର ଶୋଷ ନିଏ
ଅବିରତ ଢାଳି ଚାଲେ ଅମୃତ ଝର,
ଆଖିରେ ଆଖିରେ ତାହାର,
ଟାଣିଦିଏ ଭାଗ୍ୟରେଖା ଅନ୍ୟ କାହାର ।୨।

ସପନର ସାତରଙ୍ଗ                      ଏକାଗ୍ରତା କରି ଭଙ୍ଗ
ପ୍ରତିଛବି ଆଙ୍କି ଦିଏ  ତୁଳୀ କୁ ଧରି,
ଇନ୍ଦ୍ରଧନୁ ସମ ସିଏ                      ପ୍ରୀତି ରେଣୁ ବିଞ୍ଚିଦିଏ
ମନ ଇଚ୍ଛା ଫେରିଯାଏ ଆଶା ସଞ୍ଚରି,
ହୋଇ ପୁଣି ମାୟା ମୃଗୁଣୀ,
ଯେଣେ ଚାହେଁ ନେଇଯାଏ ମନକୁ ଟାଣି ।୩ ।

ଛନଛନ ଆଖି ତାର                   ସୁନୀଳ ସେ ପାରାବାର
ଉର୍ମି ସମ ଦିଏ ସଦା ଶୀତଳ ସ୍ପର୍ଶ,
କେତେବେଳେ ଯାଏ ମାତି              ହୋଇସିଏ ପ୍ରଜାପତି
ବୁଲି ବୁଲି ବାଣ୍ଟିଚାଲେ ପ୍ରୀତି ପିୟୁସ,
ଆଖିରେ ଆଖିଏ ସପନ,
ରହିଯାଏ ହୃଦେ ତୁମ ସାରା ଜୀବନ ।୪।

ସ୍ମୃତି ହୋଇ ମନେ ପଡେ              ରହିଥାଏ କଡେ କଡେ
ଜୀବନକୁ ଦେଇଯାଏ ନୂତନ ଦିଶା,
ଗୁଣୁଗୁଣୁ ଗାଉଥାଏ                     କର୍ଣ୍ଣେ ସଦା ବାଜୁଥାଏ
ମତୁଆଲା କରେ ତା’ର ଆଖିର ନିଶା,
ରହେ ସେ ସବୁଦିନ ପାଇଁ,
ପ୍ରେମର ଆରମ୍ଭ ତାର ତୁଳନା ନାହିଁ ।୫ ।

( ରାଗ : ଚୋଖି)

ପ୍ରତାପ ପଣ୍ଡା
E/114, sector-9, ROURKELA
ହ୍ୱାଟ୍ସଆପ୍ ନମ୍ବର : 9861059709
ଇ-ମେଲ୍ : pratap.panda44@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?