ପ୍ରେମ – ସରୋଜ କୁମାର ସାହୁ
1 min readବର୍ଣ୍ଣ ବର୍ଣ୍ଣମାଳାକୁ ଯୋଖି
ଗଢିଉଠିଥିବା ପ୍ରେମ ଶବ୍ଦଟି
ଅସୀମ,
ଲଙ୍ଘିପାରେ କଳନାର ଶେଷ ସୀମା
ବାଲିଶେଜରୁ ସାଗର…..
ମାଟିରୁ ଆକାଶ……
ଆକାଶରୁ ମହାକାଶ ତାରି ପରିବ୍ୟାପ୍ତି।
ସେ ସଞ୍ଚରି ପାରେ
ଜଡଦେହରେ ପ୍ରାଣବାୟୁ
ଗୀତଗୋବିନ୍ଦ ସାଜି
ଜିଣିପାରେ ପଦ୍ମାବତୀର ବିଶ୍ବାସ,
କଳ୍ପନାବିଳାସୀ ହୃଦୟରୁ ମୁକୁଳି
ସଯତ୍ନରେ ଅାଙ୍କିନିଏ
ତାଜମହଲର ନିକ୍ଷୁଣ ପରିପାଟୀ,
ପ୍ରତିଟି ମାର୍ବଲର ଦେହରେ
ଛପି ରହିଥିବା ଲାଖ ଭଳି
ବାସ୍ନାୟିତ କରେ,
କ୍ଷଣେ କ୍ଷଣେ
ଚୁମ୍ବନର ସେ ସୁମଧୁର ଝାପ୍ସା।
ବିଭୀଷିକାର ଅନ୍ଧାରି ଗୁହାରେ
ଜାଳିପାରେ
ଆଲୋକର ଶିଖାଗ୍ନୀ,
ବିଫଳତାର ଚକ୍ରବିହ୍ବ ଝଞ୍ଜିରକୁ
ବିଶ୍ବାସ ଭରସାର ସଞ୍ଜିବନୀରେ
ମନ୍ତୁରାଇ ଜନ୍ମଦିଏ ସଫଳତାର
ନିରୋଗୀ କଣିକାଟେ।
ଅଙ୍କାବଙ୍କା ଜୀବନର ପ୍ରତିବନ୍ଧକରେ
ଝୁଣ୍ଟୁଥିବା କଣ୍ଟକ ପଥ ଦ୍ବାରଦେଇ
ବିଞ୍ଚିଦିଏ ସଜଫୁଟା କଅଁଳିଆ
ଫୁଲ ସବୁକୁ
କାହାରି ଅଲକ୍ଷ୍ୟରେ,
ବିଜୁଳିର ପ୍ରତିଘାତରେ
ମଳିନ ପଡିଥିବା ବୃକ୍ଷଦେହରେ
ସତେଜତା ଭରି
ପ୍ରତିକ୍ଷଣ ରଚେ
ସବୁଜବିପ୍ଲବର ଗାଢ ଆମନ୍ତ୍ରଣଟେ।
ସରୋଜ କୁମାର ସାହୁ
ଆଠଗଡ,କଟକ
Email:- sarojsahoo2828@gmail.com