ନାରୀର ଚରିତ୍ର ଅଟଇ ବିଚିତ୍ର
ସଂସାର ସାଧନ ପାଇଁ ।
କେବେ କେଉଁ ଭାବେ କେଉଁ ରୂପ ଧରେ
ବିଧିର ବିଧାନ ନେଇ ॥
ପ୍ରଥମ ପାହାଚେ କନ୍ୟା ରୂପେ ଆସେ
ହସଖୁସି ଦିଏ ଭରି ।
ପରିବାର ଜନେ ସ୍ବାଗତ କରନ୍ତି
ଲକ୍ଷ୍ମୀ ଠାକୁରାଣୀ ପରି ॥
ଭାଇ ପାଇଁ ସୁନା ଭଉଣୀ ହୋଇ ସେ
ସେନେହ ଶରଧା ଢ଼ାଳେ ।
ବାପାଙ୍କର ସିଏ ନୟନପିତୁଳି
ମମତା ପାଏ ମା କୋଳେ ॥
ପ୍ରାପତ ବୟସେ ବାପ ଘର ଛାଡି
ଅଜଣା ଘରକୁ ଯାଏ ।
ଶାଶୁଘରେ ସୁନା ବୋହୂଟିଏ ହୋଇ
ପତ୍ନୀଧର୍ମେ ବ୍ରତୀ ହୁଏ ॥
ଦଶମାସ ଗର୍ଭ ଧାରଣ କରି ସେ
ସନ୍ତାନ ଜନମ ଦେଇ ।
କେତେ କଷ୍ଟ ସହି ସନ୍ତାନ ପାଳନେ
ଜୀବନ ଉତ୍ସର୍ଗୀ ଥାଇ ॥
ବୃଦ୍ଧାକାଳେ ପୁଣି ଶାଶୁ ଭୂମିକାରେ
ଅଭିନୟ ଥାଏ କରି ।
ପରିବାରକୁ ସେ ସୁନାର ସଂସାରେ
ଗଢ଼ିଥାଏ ଯତ୍ନ କରି ॥
ଝିଅରୁ ଭଉଣୀ ପତ୍ନୀ ବୋହୂ ପୁଣି
ମାଆ ଓ ଶାଶୁମା' ହୋଇ ।
ଦୁହିତା ପଦକୁ ସାର୍ଥକ କରେ ସେ
ନାରୀ ରୂପେ ଜନ୍ମ ପାଇ ॥
ଆଜିର ଯୁଗରେ କନ୍ୟା ଭ୍ରୃଣହତ୍ଯା
ଧର୍ଷଣ ଓ ନିର୍ଯ୍ଯାତନା ।
ଯୌତୁକ ଜନିତ ହତ୍ଯା ବ୍ଯଭିଚାର
ନାରୀ ତ ସହି ପାରେନା ॥
ନାରୀ ଆଜି ନିଜେ ନିଜର ଶତ୍ରୁ ହେ
କାହାକୁ କହିବା ଭାଇ ।
ଝିଅ ଜନ୍ମ ହେଲେ ତଣ୍ଟି ଚିପି ତା'ର
ନଈରେ ଦିଏ ଭସାଇ ॥
ହେ ନାରୀ ତୁମେ ତ ସତୀ ମାତା ସୀତା
ଝାନ୍ସୀ ରାଣୀ ଲକ୍ଷ୍ମୀବାଈ ।
ଦୁର୍ଗା ଶକ୍ତିରୂପା ହୋଇ ବି ତୁମେ ଗୋ
ଅସହାୟ କାହିଁ ପାଇଁ ॥
ନାରୀର ହୃଦୟ ବିଶାଳ ସମୁଦ୍ର
ପ୍ରଶାନ୍ତ ଆଉ ଗଭୀର ।
ଯେତେ ଝଡ଼ ଝଞ୍ଜା ଆସେ ତା ଜୀବନେ
ହୁଏ ନା କେବେ ଅଧୀର ॥
ନାରୀ ଶକତିର କର ହେ ବିସ୍ତାର
ସୃଷ୍ଟି କର ଜାଗରଣ ।
ଏକତା ବଳରେ ଦେଖାଅ ବିଶ୍ବକୁ
ନାରୀ ସଶକ୍ତିକରଣ ॥
ନାରୀ ହିଁ ସୃଷ୍ଟିର ଆଦି ଆଉ ଅନ୍ତ
ନାରୀ କ୍ଷମାର ସାଗର ।
ହେ ମାନବଗଣ ! ନାରୀ ଜାତି ପ୍ରତି
କରିବନି ଅନାଦର ॥
ଜଗନ୍ନାଥ ପଧାନ
ଖନ୍ଦା, ଲାଉମୁଣ୍ଡା, ବରଗଡ଼
0 Comments