ନାରୀ ସଶକ୍ତିକରଣ 
************* 
ହେ ନାରୀ !
ସ୍ନେହମୟୀ, ଦୟାମୟୀ, ମମତାମୟୀ 
ମାତା, ବନିତା, ଜାୟା ଓ ଭଗିନୀ 
ତୁମେ ଅମୃତ ଦାୟିନୀ 
ଏ ସୃଷ୍ଟି କାରିଣୀ ।
ନୁହଁ ତୁମ୍ଭେ ଅବଳା ଦୁର୍ବଳା 
ସର୍ବଗୁଣା ସଂପନ୍ନା 
ଅଟପରା ତୁମେ ବୀରା ଭାରତ ରମଣୀ, 
ତୁମେ ଇଚ୍ଛା କଲେ ସବଳା ରୂପରେ 
କରିପାର ଏ ସୃଷ୍ଟି କୁ ଧ୍ୱଂସ 
ତୁମେହିଁ ତ ଆଦ୍ୟାଶକ୍ତି 
ପୁଣି ଅଟ ଶକ୍ତି ସ୍ଵରୂପିଣୀ ।
ପୁରୁଷକି ହୋଇପାରେ ତୁମ ସମକକ୍ଷ 
ଅଛି କି ତା ଶକ୍ତି ?
ବିନା ପ୍ରକୃତିରେ କେବେକାଳେ 
ହେବ କି ଏ ସୃଷ୍ଟି ।
ଜଗଜ୍ଜନନୀ ଗୋ ତୁମେ ପ୍ରକୃତି ରୂପିଣୀ 
ତୁମେହିଁ ତ ଲକ୍ଷ୍ମୀ, ସୀତା, 
         ସାବିତ୍ରୀ, ପାର୍ବତୀ 
ଦୁର୍ଗା, ବିମଳା, ଛିନ୍ନମସ୍ତା,
            କାଳୀ, ସରସ୍ଵତୀ, 
ଝାନ୍ସି ରାଣୀ ଲକ୍ଷ୍ମୀବାଈ ,
             ମୀରା, ଦୁର୍ଗାବତୀ। 
ଯେତେ ଯେତେ ନାରୀ ଶକ୍ତି 
ଏ ଭୂବନେ ଖ୍ୟାତ 
ସେହି ଆଦ୍ୟା ଶକ୍ତିଙ୍କର ଅଂଶ 
ତୁମେହିଁ ତ ମାତ ।
ତୁମ ପକ୍ଷେ ଅସାଧ୍ୟ କି 
ଅଛି ଏ ମହୀରେ ?
ତଥାପି ତୁମେ ଅବଳା ଭାବରେ 
କାହିଁକି ଗୋ ହେଉଛ ଲୁଣ୍ଠିତ, 
ସର୍ବତ୍ର ଧର୍ଷିତା ପୁଣି 
             ହୁଅ ନିର୍ଯ୍ୟାତିତ ?
କାହିଁଗଲା ତୁମ ପୂର୍ବ ତେଜ ?
ସ୍ମରଣ କରିଣ ତୁମ ପ୍ରାଚୀନ କିରତି 
ଜାଗିଉଠ ମାତୃଶକ୍ତି ନବତେଜ ଘେନି 
ମହିଷା ମର୍ଦ୍ଦିନୀ ମାତା ଦୁର୍ଗାରୂପ ନେଇ 
ବିନାଶ କର ଲମ୍ପଟ, କାମାନ୍ଧ ପଶୁଙ୍କୁ 
ଯେତେ ନାରୀ ମାଂସ ଲୋଭୀ ପୁଣି 
ଭଣ୍ଡ ବାବା ରୂପୀ ମହିଷାସୁର ଙ୍କୁ। 
             ********
ନରୋତ୍ତମ ପାତ୍ର 
                   ନାସିଗାଁ, କଳାହାଣ୍ଡି