"ନାରୀ ସଶକ୍ତିକରଣ"
ମୁଁ ଯୁଗେଯୁଗେ ଅବଳା ଆଉ ଦୁର୍ବଳା ର ଘୃଣ୍ୟ ଲାଞ୍ଚନା ରେ ପେଶି ହୋଇ
ଚାଲିଥିବା ଏକ ରକ୍ତ ମାଂସ ଦେହଧାରୀ,
ହଁ ମୁଁ ସେଇ ନାରୀ।।
ମୁଁ ସାବିତ୍ରୀ, ମୁଁ ସୀତା ଆଉ
ମୁଁ ବି ପାଞ୍ଚାଳି
ମୁଁ ପାର୍ବତୀ,ମୁଁ ଦୁର୍ଗା ଆଉ
ମୁଁ ବି କାଳୀ ।।
ମୁଁ ସ୍ୱାମୀର ଜୀବନ ପାଇଁ
ଯମ ସହିତ ଲଢ଼ୁଛି
ଆଉ ସତିତ୍ୱର ପ୍ରମାଣ ପାଇଁ
ଅଗ୍ନିପରୀକ୍ଷା ବି ଦେଉଛି।।
କେବେ ଦ୍ରୌପଦୀ ପରି ପ୍ରତିଶୋଧର
ଅପେକ୍ଷା କରିଛି
କେବେ ଆଉ ଏକ ମହାଭାରତ କୁ
ନିମନ୍ତ୍ରଣ କରୁଛି।।
କେବେ ପାର୍ବତୀ ପରି ସ୍ନେହ ଆଉ
ପ୍ରେମ ପାଇଁ ବଞ୍ଚିଛି
କେତେବେଳେ ଦୁର୍ଗା,କାଳୀ ପରି
ପାପୀର ବିନାଶ କରିଛି।।
କେତେବେଳେ ପତିର ଶବକୁ ନିଜେ
ମଶାଣିରେ ଜାଳିଛି ତ
କେବେ ପୁଅର ମୃତ ଶରୀରକୁ ଛାତିରେ ଚାପିଧରି ଜୀଇଁବାର
ରାହା ଖୋଜିଛି।
ସବୁ ପରେବି ବଞ୍ଚିଛି ଛାତିକୁ
ପଥର କରି
ହଁ,
ମୁଁ ଆଉ କେହି ନୁହେଁ ସେଇ ନାରୀ।
କେବେ ଛଳନାର ଶିକାର ହୋଇ
କୁମାରିତ୍ୱ ହରେଇଛି
ସମାଜର ସବୁ କଟାକ୍ଷ କୁ ସହି
ଆଉ କାର ସନ୍ତକ କୁ ପାଳିଛି।।
ହଁ,ଛୋଟିଆ ଦୁଃଖରେ ଲୁହ ଝରାଏ
ବୋଲି ଦୁର୍ବଳା ଆଖ୍ୟା ପାଇଛି
ହେଲେ ମୁଁ ବି ସେଇ ଯିଏ ବୀର ଶହୀଦ ର ବିରଙ୍ଗନା ସାଜି ନିଜ ମଥା ର ସିନ୍ଦୂର କୁ ନିଜେ ପୋଛିଛି।।
ମୁଁ ବି ଆକାଶରେ ଉଡ଼ିଛି
ମୁଁ ବି ଗଭୀର ସମୁଦ୍ରେ ବୁଡିଛି
ମୁଁ ବି ପ୍ରତୀକ୍ଷଣେ ନିଜକୁ
ପୁରୁଷ ପାଖେ ପ୍ରମାଣ କରିଛି।।
ତଥାପି କେବେ ମୁଁ ନିର୍ଯ୍ୟାତିତ, ଅବହେଳିତ ଆଉ ପାଶବିକତାର ଏ କପଟ ଜାଲରେ ଛନ୍ଦି ହୋଇ ବଞ୍ଚିଛି
ପଥର ଟିଏ ପରି
ହଁ,ମୁଁ ସେଇ ନାରୀ ।।।
ହଁ ମାନୁଛି ଆଜି ମୁଁ ବି ଏ ସଶକ୍ତିକରଣ ର ନାଁ ରେ ସମାଜ ସହିତ କାନ୍ଧରେ କାନ୍ଧ ମିଶାଇ ଚାଲୁଛି
ହେଲେ ଆଜି ବି
ମୁଁ ଅନ୍ଧାରକୁ ଡରୁଛି।।
କେବେ ଦୁନିଆଁ ଦେଖିବା ଆଗରୁ
ମାତୃଗର୍ଭରେ ହଜିଯାଉଛି
ଖାଲି ଅନ୍ଧାର ନୁହେଁ ଦିନ ଆଲୁଅରେ ବି ମୁଁ ଏ ନରଭକ୍ଷୀ ରାକ୍ଷସ ପାଖରେ
ବଳି ପଡୁଛି ।।
ମୁଦ୍ରାର ଦୁଇଟି ପାର୍ଶ୍ୱ, ପରସ୍ପର ପରିପୁରକ,ଜଣେ ଜଣଙ୍କ ବିନା ଅସମ୍ପୂର୍ଣ୍ଣ ବାକ୍ୟ ଶୁଣିବାକୁ ତ
ଭଲ ଲାଗୁଛି
ହେଲେ ଆଜିବି ଯୌତୁକ ଜୁଇରେ
ମୋ ଚିତା ଜଳୁଛି
ଘଞ୍ଚଜଙ୍ଗଲର ଶୁଖିଲା ପତ୍ର ଟିଏ ପରି
ହଁ,ମୁଁ ଆଉ କେହି ନୁହେଁ
ସେଇ ନାରୀ ।।
ନିଇତି ଏ ନାରୀ ସଶକ୍ତିକରଣ ର ଫମ୍ପା ଡେଙ୍ଗୁରା ରେ ମୁଁ ହିଁ
ହାରିଚାଲିଛି
ଆଖିରେ ତ ଅନେକ ସ୍ୱପ୍ନ,ପୂର୍ଣ କରିବାର ଅଭିଳାଷ ଆଉ ଅଣ୍ଟା ଭିଡି ଛିଡା ହେବାର ଚେଷ୍ଟା କରି ଚାଲିଛି।।
ସଶକ୍ତିକରଣ ଶବ୍ଦ ର ଅର୍ଥ ଟା ସେଇଦିନ ସଫଳ ହେବ,ଯେଉଁଦିନ
ନାରୀଟିଏ ମା ଭଉଣୀର ସଂମାନ ଖାଲି ଭାଷଣ ରେ ନୁହେଁ
ପାଇବ ଦିନ ଆଲୁଅ ସହିତ
ରାତିର ଅନ୍ଧାରରେ
ଆଉ ନାରୀର ଶକ୍ତି ଟା ବିଜୟୀ ହୋଇ ପାରିବ ଏ କାପୁରୁଷ
ନରଭକ୍ଷୀ ସମାଜ ଆଗରେ।।
ପ୍ରଜ୍ଞା ପରମିତା ମହାପାତ୍ର
ଖୋର୍ଦ୍ଧା, ଭୁବନେଶ୍ୱର
0 Comments