ଅବଳା ନୁହଁ ତୁ ଦୁର୍ବଳ ନୁହେଁ
       କିମ୍ପାଇ ଏ ମୌନତା
ଜାଗି ଉଠ ନାରୀ ସମାଜରେ ଦିଅ
      ନିଜ ପରିଚୟ ଗାଥା।
ନୁହଁ ତୁମେ! ରୁଦ୍ଧ ବିହଙ୍ଗିନୀ ଆଜି
     ନିର୍ଯ୍ୟାତିତ କାରାଗାରେ
ଲଭିଛୁ ଶିକ୍ଷା କୁସଂସ୍କାରିତାରୁ
     ଜାଗିବାକୁ ଅକ୍ଳେଶରେ।
ଆଦର୍ଶ ରମଣୀ ବୀରଙ୍ଗନା ଲକ୍ଷ୍ମୀ
     ଦୁର୍ଗାବାଈ,ଶୁକଦେଈ
ଅଗ୍ରଣୀ ହୁଅ ନିର୍ଭୀକା ହୁଅ ନିଜ
        ପରିଚୟ ଦେଇ।
କେଉଁଠି ଜଳଇ ଯଉତୁକ ଜୁଇ
       ବଧୂଟି କ୍ରନ୍ଦନରତା
କେଉଁଠି ଧର୍ଷିତା ରମଣୀ ଲୋଡଇ
     ସାମାଜିକ ନିରାପତ୍ତା।
ସେ କେଉଁ ରମଣୀ ସ୍ଵାମୀ ପରିତ୍ୟକ୍ତା
  ସନ୍ତାନଟିଏ ତା କୋଳେ
ସମାଜ ତାହାକୁ କରଇ ଧିକ୍କାର
   କଳଙ୍କ ଲେଖା ତା ଭାଲେ।
ହତଭାଗିନୀ ସେ ଅନ୍ୟ କେଉଁ ନାରୀ
   ମଦ୍ୟପର ଧରି ହାତ
ସନ୍ତାନ ଚାରି ବୁଭୁକ୍ଷୁ ବେଶରେ 
   ମିଳେନି ମୁଠାଏ ଭାତ।
ସ୍ପଷ୍ଟ ଦିବାଲୋକେ ସେ କେଉଁକୁମାରୀ 
            ପିଶାଚର କବଳିତା
 ଝରା ଫୁଲ ପରି ଅକାଳେ ଝରଇ
        ହୋଇଯାଏ ନିଷ୍ପେସିତା।
ନାରୀର ସୁରକ୍ଷା ଶଶକ୍ତି କରଣ 
         ଭାଷଣେ ସୀମିତ ପରା
ମନେ ହୁଏ ଆଜି ଯେତେକ ଯୋଜନା 
           ସବୁ ଅଵା ଦିଗହରା ।
ଖବର କାଗଜ ରେଡିଓ ଟିଭିରେ 
            ପ୍ରତିଦିନର ଖବର, 
ନାରୀ ନିର୍ଯ୍ୟାତନା ହତ୍ୟା ଧର୍ଷଣ 
            ସମ୍ବାଦ ଵାରମ୍ଵାର,
ପଢି ଶୁଣି ଶୁଣି କାନ ମୁଣ୍ଡ ଆଉ
            ଛାତି ହୁଏ ଥରଥର। 
କିପରି କହିବା ଗଣତନ୍ତ୍ର ରାଷ୍ଟ୍ରେ 
        ନାରୀ ଆଜି ଅଗ୍ରସର 
ଵାରହାତ ଶାଢୀ ପିନ୍ଧି ଵି ଲଙ୍ଗଳା 
      ସତେ ଅବା ଭାଗ୍ୟ ତାର। 
ସାମାଜିକ ଅର୍ଥନୈତିକ କ୍ଷେତ୍ରରେ 
           ଆଗକୁ ଚାଲିଵା ପାଇଁ 
ଆମ ସରକାର ଯୋଗାଇଲେ ବଳ 
           ଆଗକୁ ବଢିବା ପାଇଁ।
ପଦ ପଦବୀରେ ସଂଗ୍ରକ୍ଷଣ ନୀତି 
         ଆଚରିଲେ ନାରୀ ପାଇଁ 
ରାଜନୀତି କ୍ଷେତ୍ରେ ଏବେ ନାରୀଯାତି 
         ଆସନ ଗଲାଣି ପାଇ 
ନାରୀ ସାହିତ୍ୟିକ ନାରୀ ବୈଞାନିକ 
         ପ୍ରଶାସନିକ କ୍ଷେତ୍ରରେ 
ନିଜ ପ୍ରତିଭାର ବଳିଷ୍ଠ ସ୍ଵାକ୍ଷର 
          ପ୍ରଦର୍ଶନ କରି ଚାଲେ। 
ନାରୀ ପ୍ରଗତିର ଦିଗ୍ ବଳୟ ଆଜି 
          ହୋଇଅଛି ପ୍ରସାରିତ 
ଅଭାବ କେଙଠି ରହିଗଲା ତେବେ 
        ଆଜି ଵି ସେ ନିର୍ଯ୍ୟାତିତ।
ମନେ ପଡିଯାଏ ଜାତିର ପିତାଙ୍କ 
         ସେହି ଵାଣୀ ମୁଲ୍ୟବାନ
ଯେଉଁଦିନ ନାରୀ ଅର୍ଦ୍ଧ ରାତ୍ରରେ
(ଏକୁଟିଆ ଚାଲି)
          ମଣିଵ ନିଜେ ସ୍ବାଧୀନ।
ସେହିଦିନ ଅଵା ଆସିବକି ଫେରି 
          ଖୋଜଇ ନାରୀର ମନ, 
ଜଣେ ନାରୀ ଭାବେ ଭାବଇ ମୁଁ ଆଜି 
 (ତାହା ହେଵ)
            ପ୍ରକୃତ ଶଶକ୍ତି କରଣ। 


ଜ୍ୟୋତିର୍ମୟୀ ଶତପଥୀ , ଵାଲେଶ୍ବର