** " କୃଷକ  " **

ବରଷା ଖରା ଶୀତ କାକର,
ନଥାଏ ତାର ଡର ।
ଫୁଟାଏ ନାନା ଫସଲ ଢେଉ,
ଏଇ କ୍ଷେତରେ ତାର ।।୧।।
ଧାନ ଗହମ ପନିପରିବା,
କେତେ ଯେ ଫୁଲ ଫଳ ।
କରେ ସେ କେତେ ଯତନ କରି,
ଦେଇ ରକତ ଝାଳ ।।୨।।
ଯା ପାଇଁ ଚଳେ ତା ପରିବାର,
ଚଳଇ ଏଇ ବିଶ୍ବ ।
ସବୁଜ ଦିଶେ ତାହାରି କ୍ଷେତ,
ଫୁଟେ ତା ମୁଖେ ହସ ।।୩।।
ଧରି ଲଙ୍ଗଳ ଯୋତି ବଳଦ,
କୋଦାଳ ଯନ୍ତ ଦାଆ ।
ମୁଣ୍ଡେ ପଗଡି ହାତେ ଜୋଗଡା,
ସୁନ୍ଦର ଦିଶେ ଆହା ।।୪।।
ପିନ୍ଧେ ସେ ଚିରା ଫଟା ପୋଷାକ,
ଯାଏ କ୍ଷେତ କୁ ତାର ।
କି ଶାନ୍ତି ଲାଗେ ବିଲରେ ଖିଆ,
ଶାଗ ଭାତ ଆଚାର ।।୫।।
କେ ଦେବ ମୂଲ ତାର ଶ୍ରମର,
କା ପାଇଁ ଖଟେ ସେଇ ।
ଫସଲ ଯେବେ ଭଲ ହୁଅଇ,
ହସେ କୃଷକ ଭାଇ ।।୬।।
ଏ ଯୁଗ ପିଲା ପାଠ ପଢିଲା,
କ୍ଷେତ ଚିହ୍ନିଲା ନାଇ ।
ଦିନ ଆସିବ ଚାଷ କରିବ,
ପେଟ ପୋଷିବା ପାଇଁ ।।୭।।
ଏ ଚାଷୀ ପାଇଁ ବଞ୍ଚିଛି ପରା,
ଆମ ସକଳ ପ୍ରାଣ ।
ଜୟ କିଷାନ ନାରା ରେ କଣ,
ବଞ୍ଚିବ ଚାଷୀ ପ୍ରାଣ ।।୮।।
ମାଟି ମଣିଷ ମାଟିରେ ଖଟି,
ମାଟିରେ ଯାଏ ମିଶି ।
ବରଷା ଯେବେ ସାଜେ ବାଧକ,
ଦୁଃଖେ ସେ ଯାଏ ଭାସି ।।୯।।
ପାରନ୍ତି ନାହିିଁ ଚିହ୍ନି କେ ତାକୁ,
ତାହାର ଅବଦାନ ।
ସେ ପରା ଦିଏ ଆମକୁ ଅନ୍ନ,
ଗାଅ ଜୟ କିଷାନ ।।୧୦।।

                   ***
ପ୍ରତାପ ଚନ୍ଦ୍ର ପ୍ରଧାନ ,
ଆଳିପଡା, କଣାସ, ପୁରୀ, ୭୫୨୦୧୯