କୃଷକ
ସ୍ୱାର୍ଥ ଜଗତେ, ସ୍ୱାର୍ଥୀ ମଣିଷେ, ସ୍ଵାର୍ଥ ମନ ଭିତରେ
ସ୍ଵାର୍ଥ ନ ରଖି ଶକ୍ତ ସାଜି କି କର୍ମ ଦୃଢରେ କରେ  ॥

ଯା'ବିନା ଜଗତ,ଯା'ବିନା ମଣିଷ ତିଳ ତିଳ ହେଇ ମରେ, 
ବିଶ୍ରାମେ ତାହାର 'ମରିଯିବି' ବୋଲି ସଭିଙ୍କର ପ୍ରାଣ ଡରେ  ॥

କର୍ମ କ୍ଷେତ୍ରରେ କର୍ମ କରି କି ନ ପାଏ ସେ କିଛି ଲାଭ, 
ତା ନିଜ ସଂସାରେ ପ୍ରତି ସମୟରେ ଦୁଆରେ ସୁଖ ଅଭାବ ॥

ସବୁଦିନେ ହୃଦେ ଦୁଃଖକୁ ଚାପି ଚାଷ କାମ ସେ କରିବ,
ବ୍ରହ୍ମାଣ୍ଡରେ ଏତେ ମଣିଷ ଭିତରୁ ଚାଷୀ ପରି କିଏ ହେବ      ॥

ବଡି ସକାଳରୁ ଖେତକୁ ଆସେ ସେ ହାତରେ ଧରି ଲଙ୍ଗଳ,
ଯେଉଁ ଲଙ୍ଗଳରେ କୃଷକ କରଇ ଦେଶର ସବୁ ମଙ୍ଗଳ ॥

ମୁଣ୍ଡ ଝାଳ ତୁଣ୍ଡରେ ମାରି କ୍ଷେତେ ଫଳାଏ ସୁନା ଫସଲ,
ସେ ଯଦି ଚାହେଁ ଜଗତର ପ୍ରାଣୀ ହୋଇଯିବେ ଅଚଳ   ॥

ସମାଜ ଭିତରେ ଶ୍ରେଷ୍ଠ ଭୂମିକାରେ ଅଭିନୟ କରେ କୃଷକ,
ତାର ଭୂମିକା ଯେ ଏତେ ବଡ଼ ବୋଲି କେହି ହୁଅନ୍ତିନି ଇଚ୍ଛୁକ  ॥

ସେହି ଅଭିନୟେ ପ୍ରତି କ୍ଷଣେ ମିଳେ ବେଦନା ଭାର ଅଧିକ,
ଖରା ବର୍ଷା ଶୀତ ସହି କରମକୁ ଆଶ୍ରା କରେ ସବୁ ଯାକ  ॥

ଦୁନିଆଁର ସୁଖେ ହୁଅଇ ସେ ସୁଖୀ, ଦୁଃଖେ ଥାଇ ତାର ମନ,
ରୋଗରେ ପଡିକି ମରିଗଲେ ମଧ୍ୟ କେହି ନ ଦିଅନ୍ତି ଧ୍ୟାନ ॥

ପୃଥିବୀର ସବୁ ମଣିଷ ସତରେ ପାଇଥାନ୍ତି ଉଚ୍ଚାସନ,
ଜଗତକୁ ପାଳେ କୃଷକଟି ହେଲେ ସଭିଙ୍କଠୁ ସିଏ ସାନ  ॥

ଏ ହେଉଛି ଆମ ଦେଶ ଭାରତରେ କୃଷକ ମାନ ସମ୍ମାନ,
କୃଷକ ମହାନ ଏହି କଥାଟିକୁ କେହି ନ କରେ ଗୁଣଗାନ
ଜଗତକୁ ପାଳେ କୃଷକ ସଭିଙ୍କ ପାଦ ତଳେ ତା ସ୍ଥାନ ॥


ସମୀର କୁମାର ମହାମଲ୍ଲୀକ
ଶିକ୍ଷକ, ସରକାରୀ ଉ. ପ୍ରା. ବିଦ୍ୟାଳୟ
ବିରାମାଲ, କଳାହାଣ୍ଡି