" କାର୍ଗିଲ ବିଜୟ ଦିବସ "

ଭାରତ ମାତାର ସୁଯୋଗ୍ଯ ସନ୍ତାନ
ଦେଲେ ଯେଉଁ ବଳିଦାନ ,
ବିତି ଯାଇଥିଲେ ଦୁଇ ଦଶନ୍ଧି ବି
ତାଜା ଅଛି ସେଇ ଚିହ୍ନ  ॥

ପରମ ଅଇରି ଅଟେ ପାକିସ୍ତାନ
ପଛରୁ ଆଘାତ କରେ ,
ସବୁଥର ସିଏ ଛତ୍ରଭଙ୍ଗ ଦେଇ
ପରାଜିତ ହୋଇ ଫେରେ  ॥

ସିଏ ଚାହିଁଥିଲା କୌଶଳ କରିଣ
କାଶ୍ମୀର ଯିବ ନେଇ ,
ମୂର୍ଖ ସେ ଜାଣେନା ଛାତିର କଲିଜାକୁ
ସହଜେ ହୁଏନା ଦେଇ  ॥

ଶୁଣିଛ କି ବନ୍ଧୁ କାର୍ଗିଲ ଯୁଦ୍ଧର
ସେ ଯେଉଁ ଶୌର୍ଯ୍ଯର ଗାଥା ,
ଯେବେ ଯେବେ ଆହା ମନେ ପଡିଯାଏ
ନଇଁ ଯାଉଥାଏ ମଥା  ॥

ଶତ ସିଂହର ବଳେ ବଳୀୟାନ
ଆମରି ଦେଶର ସୈନ୍ଯ ,
ପ୍ରଚଣ୍ତ ପ୍ରହାରେ ଶତୃଙ୍କୁ ନାଶୀ
ଦେଶକୁ କରିଲେ ଧନ୍ଯ  ॥

ଷାଠିଏ ଦିନର ଘମାଘୋଟ ଯୁଦ୍ଧେ
ରକ୍ତ ରଂଜିତ ସେ ମାଟି ,
ଭୟେ ଥରହର ହୋଇ ଶତୃ ସୈନ୍ଯ
ଛାଡିଲେ କାର୍ଗିଲ ଘାଟି  ॥

ମାରିଲେ ମରିଲେ ଭାରତୀୟ ସେନା
ଦେଶର ଟେକକୁ ରଖି ,
ରହିଛି ରହିବ ସେ ଯୁଦ୍ଧର କଥା
ଇତିହାସ ଥିବ ସାକ୍ଷୀ  ॥

କେଉଁ ନିରୀମାଖି ବୋହୂର ମଥାରୁ
ଲିଭିଲା ସିନ୍ଦୂର ଟୋପା ,
କେତେ ମାଁ ବାପା ପୁତ୍ରକୁ ହରେଇ
ଲଭିଲେ ଅମାପ ବ୍ଯଥା  ॥

କାର୍ଗିଲ ଯୁଦ୍ଧର ସେ କରୁଣ ଦୃଶ୍ଯକୁ
ହେଉ ନ ଥିଲା ତ ଫାଙ୍କି ,
ଗାଁ କୁ ଫେରୁଥିଲେ ଯବାନ୍ ଭାଇମାନେ
ତ୍ରିରଙ୍ଗା ଦେହେ ହୋଇ ଢାଙ୍କି  ॥

ତଥାପି ଆମର ବୀର ସଇନିକ
ଦେଲେ ନାହିଁ ପଛ ଘୁଞ୍ଚା ,
କାର୍ଗିଲ ଶିଖରରେ ତ୍ରିରଙ୍ଗା ଉଡେଇ
କଲେ ଆମ ଶିର ଉଚ୍ଚା  ॥

ଆମ ସୁରକ୍ଷିତ ଭବିଷ୍ଯତ ପାଇଁ
ଦେଲେ ତାଙ୍କ ବର୍ତ୍ତମାନ ,
ଜିଇଁ ଥିବାଯାଏ ସେ ବୀରମାନଙ୍କୁ
ଦେଉଥିବା ଯେ ସମ୍ମାନ  ॥

ଆସ ହେ ସଭିଏଁ ଭାରତବାସୀ
ସ୍ବାର୍ଥ ଦେଇ ଜଳାଞଳି ,
କାର୍ଗିଲ ଦିବସେ ସହିଦ୍ ଯବାନଙ୍କୁ
ଦେଉଥିବା ଶ୍ରଦ୍ଧାଞଳି  ॥

××××××××××××××××××××××××

             ଯୁବରାଜ କୁଦେଇ
           ଗ୍ରା/ପୋ‐ ଇଛାପୁର
              ଥା‐ ଡୁଙ୍ଗୁରିପାଲି
                ଜି‐ ସୁବର୍ଣ୍ଣପୁର
        ମୋ‐ ୯୯୩୮୮୧୩୭୦୬

××××××××××××××××××××××××