ମାତୃଶକ୍ତି
,,,,,,,,,,,,,,,,,,,,,,,,,
ପଡିଲେ ବିପତ୍ତି ବିଜେ ମାତୃଶକ୍ତି
ଜଗତ ଉଦ୍ଧାର ପାଇଁ,
କେତେ ବଳଶାଳୀ ପଡିଛନ୍ତି ଟଳି
ପାଇନି ନିସ୍ତାର କେହି।।
ଯୁଗେ ଯୁଗେ ମାତା ସବୁଠି ପୁଜିତା
ଧରା ଧାମେ ଅବତାରି,
କରି ପାପ ନାଶ ଅସୁର ବିନାଶ
ବାଣ୍ଟିଛନ୍ତି ସୁଖ ଶିରି।।
ଧୂପ ଝୁଣା ବାଜା ମାତୃଶକ୍ତି ପୂଜା
ହୁଏ ତିଥି ବାର ଦିନେ,
ବ୍ରତ ଉପବାସ ସାଜ ସଜା ବେଶ
କୋଳାହଳ ପୀଠ ସ୍ଥାନେ।।
ଦୟାର ସାଗର ତୁ ସତ୍ୟ ସୁନ୍ଦର
ମା,ତ ଅମୃତ ସିନ୍ଧୁ,
ନିଜେ ଦୁଃଖେ ରହି ସଭିଙ୍କୁ ହସାଇ
ଝରାଏ କରୁଣା ବିନ୍ଦୁ।।
ମଧୁର ବଚନ ମଧୁ ଆଚରଣ
ମଧୁଝରା ହିତ ବାଣୀ,
ନାନାବାୟା ଗୀତେ ଝରଇ ଅମୃତ
ମମତାର ନିର୍ଝରିଣୀ।।
ଖୁସିରେ କାନ୍ଦିଛି ଦୁଃଖେ ହସାଇଛି
ଦେଖାଇ ନୂଆ ଦୁନିଆ,
ଅନ୍ତର ବେଦନା ଅକୁହା ଯନ୍ତ୍ରଣା
ଲୁଚାଇ ହସୁଛି ମାଆ।।
ମାଆ ର ସରାଗ ଅନନ୍ତ ସରଗ
ହୃଦୟ ମେଲା ସାଗର,
ମାଆ ର ବଚନ ଅମୃତ ସମାନ
ସଦା କାଳେ ପାନ କର।।
ଜୟନ୍ତ କୁମାର ମହାନ୍ତି,
ଶିକ୍ଷକ,
ପୀରହାଟ ଶାନ୍ତି ଶୈଳେନ୍ଦ୍ର ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରକାଟ ବିନ୍ଧା, ପୀରହାଟ, ଭଦ୍ରକ, ମୋ ନଂ,
9437544026
0 Comments