ମାତୃଶକ୍ତି
          *****

ତୋହରି ସେନେହ   ତୋହରି ଶରଧା
      ସବୁଠୁ ମଧୁର ତୋ ନାଁ
ସଂସାର ସାଗରେ     ସରଗଠୁଁ ବଳି
     ଅତି ଆପଣାର ମୋ ମାଁ ।।

ଦଶମାସ ଗର୍ଭେ     ରଖିଥିଲୁ ଧରି
    ନ ହୋଇ ଦୁଃଖରେ ଅଧିର
ଜନମ ଦେଇଛୁ      ଅନ୍ତର ବେଦନା
     ନ କରି ତିଳେ ବି ଖାତିର ।।

କୋଳେଇ କାଖେଇ    ମଣିଷ କରିଛୁ
       କେତେ ଝଡ଼ ଝଞ୍ଜା ସହି
ମନଜାଣି ତୁହି        ପେଟ ପୁରାଇଛୁ
      ନିଜେ ଉପାସରେ ରହି ।।

ପୁଅକୁ କିଛିବା     ରୋଗ ଦୁଃଖ ହେଲେ
     ଦୁଃଖରେ ହୋଇ କାତର
ରାତି ଦିନ ବସି     ସେବା କରୁଥାଉ
     କୋହଭରା ତୋ ଅନ୍ତର ।।

ନିଜ ପରିବାର    ପାଇଁ କର୍ମମୟ
     ହୋଇଛି ତୋର ଜୀବନ
ନିଜ ଅଭିଳାଷ     ଦମନ କରିଣ
     କରୁ ଅନ୍ୟ ଇଚ୍ଛା ପୂର୍ଣ୍ଣ ।।

ତ୍ୟାଗ ତୋର କେବେ   ଭୁଲି ନ ପାରିବି
       ଅଟୁ ତୁହି ଗରୀୟସୀ
ସାରା ପୃଥିବୀରେ      ଈଶ୍ଵରଙ୍କ ଦାନ
      ସର୍ବଶ୍ରେଷ୍ଠ ମାତୃଶକ୍ତି ।।

**********************
ପ୍ରେମାନନ୍ଦ ବେହେରା

ସହକାରୀ ଶିକ୍ଷକ
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
ପଦ୍ମପୁର, ଜିଲ୍ଲା - ବରଗଡ଼
ମୋ.ନଂ. ୯୪୩୮୨୯୨୩୧୩
**********************