Sahitya Jibana

Portal on odia literature

ଦେବନି କଲମ କ୍ଷମା – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା

1 min read

 

କବିର କବିତା ଅଟେ ମନକଥା
ଲେଖିବ କଲମ ଧରି
ହୃଦୟରେ ଯେତେ ରହିଛି ବେଦନା
କହିଦେବ ଖୋଲି କରି ।୧।

ଧନଧାନ୍ୟରେ ପୁରିଛି ଏ ଦେଶ
ସୁଖ ଯାଏ ଅପସରି
ଶୁଖିଲାଣି କାଳି କବିର କଲମୁ
ଡାକୁଛି ରଖ ହେ ହରି ।୨।

ମାଟିଗୋଡି ଠାରୁ ପଶୁପକ୍ଷୀ ଯାଏ
ସବୁତ ହେଲେଣି ଗଣା
ଆକାଶର ତାରା ଗଣିବାକୁ କେହି
ନ ହୁଅଇ ବାଟବଣା ।୩।

ଭୋଟ ନେବାପାଇଁ ଜନଗଣନାକୁ
ଆରମ୍ଭିଲ ସରକାର
କାଚଘରେ ବସି ଯୋଜନା କରିଲ
ଜିତିବ କିଏ ଏଥର ।୪।

ଜନ୍ମ ଓ ମୃତ୍ୟୁର ହିସାବ ପାଇଁ କି
ଆଶାକର୍ମୀ ତତପର
କାହିଁ ଅବିଚାର କର ସରକାର
ଉଠିଲା କବିଙ୍କ ସ୍ବର ।୫।

ସାହିତ୍ୟ ଉନ୍ନତି ଦେଶର ପ୍ରଗତି
କଲମ ସାଥୀ ଯାହାର
ତାକୁ କାହିଁ ପର କରୁଛ ସର୍କାର
ଜବାବ ଦିଅ ଏଥର ।୬।

କବି ଓ ଲେଖକ ନୁହଁନ୍ତି କି କା’ର
ଉନ୍ନତିର କର୍ଣ୍ଣଧାର ?
ବିକାଶ ପଥରେ ପ୍ରଥମ ପଥିକ
ଲେଖେ କଲମ ମୂନର ।୭।

ଅଯୋଗ୍ୟ ମାନଙ୍କୁ ଯୋଗ୍ୟ ତାଲିକାରେ
କର ରାଜକୋଷ ଧ୍ବଂସ
ପ୍ରଗତି ପଥରେ କବି ଓ ଲେଖକ
ନୁହେଁ କି ଗୋଟିଏ ଅଂଶ ? ।୭।

କାହିଁକି ଗଣନା କରୁନ ସର୍କାର
କବି ଲେଖକ ମାନଙ୍କୁ
ସଂଗ୍ରାମେ କବିର ଜୀବନ ବିତୁଛି
ପାରୁନ ଚିହ୍ନି ତାହାଙ୍କୁ !୮!

ଲେଖିଲେଖି ମରେ କବି ଓ ଲେଖକ
ନ ପାଏ ତା ମୂଲ୍ୟବୋଧ
ମସ୍ତିଷ୍କ ବାଚାଳ ହୁଏ ଦିନ ରାତି
ଭୋକରେ ବି ହୁଏ ବୋଧ ।୯।

ସାତତାଳ ପଙ୍କୁ ଖୋଜି ଆଣେ କବି
ଅଜଣା ଚିତ୍ରର ଛବି
ମନର ଭାବନା ହୃଦୟ ଯାତନା
ଲେଖୁଲେଖୁ ହୁଏ କବି ।୧୦।

କେତେଦିନ ଆଉ ଗାଦିରେ ବସିଲେ
କରିବ ସାହିତ୍ୟ ଚିନ୍ତା
ଛାଡି ଅନ୍ୟ ଚିନ୍ତା କର କବି ଚିନ୍ତା
ଆଶିଷ ଦେବେ ବିଧାତା ।୧୧।

ଉତ୍ଥାନ ପତନ କବିଙ୍କର ମନ
ଦେବନି କଲମ କ୍ଷମା
ଅନ୍ତରରୁ କିଛି ନିସୃତ ହୋଇଲେ
ଶାନ୍ତି ପାଇବନି ଜମା ।୧୨।

କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା,ବାଲେଶ୍ବର, ମୋ- ୯୮୫୩୧୪୨୫୧୦

Leave a Reply

Copyright © Sahitya Jibana | Newsphere by AF themes.