Sahitya Jibana

Portal on odia literature

ଜୟ ଶ୍ରୀକୃଷ୍ଣ (ଜନ୍ମାଷ୍ଟମୀ ) – ରତିନାରାୟଣ ରାଉତ

1 min read

(ରାଗ -ଚୋଖି )

ଧର୍ମସଂସ୍ଥାପନପାଇଁ ଯୁଗଧର୍ମରକ୍ଷାନେଇ
ଅବତରି ଆସିଥାଅ ସଂସାରେ ତୁମେ
ସତ୍ୟତ୍ରେତୟା ଦ୍ୱାପରେ ଆସିଛ କେତେ ରୂପରେ
ନରନାରାୟଣ ରୂପେ ଏଧରା ଧାମେ
ତ୍ରେତୟାରେ ରାମାବତାରେ
ଦ୍ୱାପରେ ଆସିଲ ପ୍ରଭୁ କୃଷ୍ଣ ରୂପରେ ll1ll
ଭାଦ୍ର କୃଷ୍ଣ ଅଷ୍ଟମୀ ରେ ବୃଷ ରୋହିଣୀ ନକ୍ଷେତ୍ରେ
ବସୁଦେବ ଦେବକୀଙ୍କ ଗର୍ଭ ଅଷ୍ଟମେ
କଂସରାଜ ବନ୍ଦୀଶାଳେ ନିଶାର୍ଦ୍ଧ ରଜନୀ କାଳେ
ଲୀଳାଭିଆଇଲ ପ୍ରଭୁ ଏ ଧରାଧାମେ
ମୋହିତ ହୋଇଲେ ସଭିଏଁ
ଫିଟିଲା ତାଟି କବାଟ ଆପଣା ଛାଏଁ ll2ll
ଜଗୁଆଳ ଉଗ୍ରେସେନ ଦେଲ ପ୍ରଭୁ ଦରଶନ
ବାସୁଦେବ ନେଇଦେଲେ ଯଶୋଦା କୋଳେ
ଘୋର ବରଷା କାଳରେ ବିଜୁଳି ଚମକ ମାରେ
ଯମୁନା ଉଛୁଳି ଉଠେ ଭକତି ଭୋଳେ
ପଞ୍ଚଫେଣି ଛାତ୍ର ହୋଇଲା
ନନ୍ଦଯଶୋଦା ମା’କୋଳ ପୁରି ଉଠିଲା ll3ll
ଆଣି ବିଜୁଳିକନ୍ୟାକୁ ଦେଲେ କଂସ ରାଜନଙ୍କୁ
ମାରିବା ବେଳେ ଉଭାନ ହୋଇ ବୋଇଲା
ଆହେ ଦୁଷ୍ଟ କଂସ ରାଜ ଗୋପେ ତୋ ମରଣ ହେଜ
ଯୋଗ ମାୟା ଶୂନ୍ୟବାଣୀ ଦେଇ କହିଲା
କଂସ ଚକ୍ଷୁ ନିଦ୍ରା ହଜିଲା
ବିଷ୍ଣୁଙ୍କ ମାୟାରେ ମତି ଭ୍ରମିତ ହେଲା ll4ll
ମାରିବାକୁ ଶ୍ରୀକୃଷ୍ଣଙ୍କୁ ପଠାଇଲା ଅସୁରଙ୍କୁ
ବକାପୁତନା ସକଟା ତୃଣାବର୍ତ୍ତକୁ
ବାଲ୍ୟକାଳେ ନାଶି ତାଙ୍କୁ ଧରି ଗୋପଗୋପାଳଙ୍କୁ
ଗୋପପୁରେ ଆରମ୍ଭିଲେ ତାଙ୍କ ଲୀଳାକୁ
ଇନ୍ଦ୍ର ଗର୍ବ ଚୁନା କରିଲେ
ଟେକି ଗୋବର୍ଦ୍ଧନ ହସ୍ତେ କୀର୍ତ୍ତି ରଖିଲେ ll5ll
ନନ୍ଦ ଯୋଶମତୀ ପ୍ରାଣ ରାଧିକା ଜୀବଜୀବନ
ଗୋପେରାସ ଲଗାଇ ସେ ମନ ମୋହିଲେ
କାଳିୟଦର୍ପକୁ ନାଶି ବଜାଇ ମୋହନ ବଂଶୀ
କଦମ୍ବ ଯମୁନା କୂଳେ ଲୀଳା କରିଲେ
ଅକ୍ରୁର ସାଥିରେ ଆସିଲେ
ଧନୁଯାତ୍ରା ଦେଖିବାକୁ ମଥୁରା ଗଲେ ll6ll
ସେ ଠାରେ କଂସକୁ ମାରି ପିତାମାତାଙ୍କୁ ଉଦ୍ଧାରି
ଉଗ୍ରେସନେ ରାଜା କରି ପ୍ରଜା ପାଳିଲେ
ମହାଭାରତର ଯୁଦ୍ଧେ ଅର୍ଜୁନ ସାରଥୀ ସାଥେ
କୁରୁବଂଶ ଅଧର୍ମକୁ ଧ୍ବଂସ କରିଲେ
ଅଷ୍ଟ ବକ୍ର ଋଷି ସାପରେ
ଯଦୁବଂଶ ନାଶ ହେଲା ତାଙ୍କ ଇଚ୍ଛାରେ ll7ll
ସିଆଡ଼ିଲତାରେ ଶୋଇ ବନମାଳୀ ଭାବଗ୍ରାହୀ
ବାଳୀପୁତ୍ର ଅଙ୍ଗଦର ମାନ ରଖିଲେ
ପିତୃହତ୍ୟା ପ୍ରତିଶୋଧ ପୁରଣ ନିମନ୍ତେ ସେତ
ଜରାଶବର ହାତରେ ବିଦ୍ଧ ହୋଇଲେ
ମତ୍ସପେଟ ଲୌହ ତୀରରେ
ଧର୍ମ ସଂସ୍ଥାପନ କରି ସ୍ବଦେହେ ଗଲେ ll8ll
ବନମାଳୀ ଚକ୍ରଧାରୀ କୃଷ୍ଣହରି ଦଇତାରୀ
ମୁକୁନ୍ଦ ମୁରାରୀ ପ୍ରଭୁ ହେ ଯଦୁମଣି
ମଧୁସୂଦନ ଶ୍ରୀଧର ହୃଷିକେଶ ବେଣୁଧର
କଳ୍ପତରୁ ଦାମୋଦର ହେ ଚିନ୍ତାମଣି
ଦୀନବନ୍ଧୁ ହେ କୃପାସିନ୍ଧୁ
ନାମଗାଇ ପାରି ହେବା ଏ ଭଵସିନ୍ଧୁ ll9ll
~~~~~~~~~~~~~~~~~~~~~
ରତିନାରାୟଣ ରାଉତ (ପ୍ର. ଶି.)
ହରିଚନ୍ଦନପୁର, କେନ୍ଦୁଝର, ଓଡିଶା
ମୋ.-9438059197
~~~~~~~~~~~~~~~~~~~~~

Leave a Reply

Copyright © Sahitya Jibana | Newsphere by AF themes.