Sahitya Jibana

Portal on odia literature

ସେଇ ସ୍ମୃତି (ରାକ୍ଷୀ ) – ଶକୁନ୍ତଳା ମହାପାତ୍ର

1 min read

ସଂସାର ସୁଖର
ବୁଢିଆଣୀ ଜାଲେ
ଛନ୍ଦିଯାଏ ସିନା ମନ …
ଯେତେଦୂରେ ଥାଉ
ନିଃସ୍ଵାର୍ଥ ସମ୍ପର୍କ
ଖୋଜେ ନାହିଁ କୋଉ ଜନ….?

ଉଦ୍ଜୀବିତ ହୁଏ
ଅତୀତର ସ୍ମୃତି
କିଏ ଆଣିଦେବ କୁହ …?
ରେଶମୀର ସ୍ନେହ
ଭାଇ ପ୍ରତି ମୋହ
ହୃଦରୁ ଉଠଇ କୋହ ||

ଶୁଖୁଆ ପଖାଳ
ବାରମଜା ପାଇଁ
କିଏ କରୁଥିଲା କଳି…?
ନାନୀ ସାଥେ ମୁଁହି
ଇସ୍କୁଲ କୁ ଯିବି
ବୋଉ ପାଖେ
କରେ ଅଳି ||

ଆମ୍ବ ,ବରକୋଳି
ତେନ୍ତୁଳି ,ପିଜୁଳି
କିଏ ଚୋରି କରି ଦେବ…?
କଥା କଟା କଟି
ଭାଗ ବଣ୍ଟା ବଣ୍ଟି
ଲୁଚକାଳି କେ ଖେଳିବ ||

ଦୋଳି,ବୋହୂଚୋରୀ
ଖୁଦୁରୁକୁଣୀ ବି
ସତେ ଅବା ଲାଗେ ସ୍ମୃତି…..
ରାଗ ରୁଷା କାନ୍ଦ
ବାଦ ପ୍ରତିବାଦ
ଥିଲେ ସିନା ବଢେ ପ୍ରିତି ||

ଚିରଦିନ ରହୁ
ଏମିତି ବନ୍ଧନ
ଭାଇ ହସ୍ତେ ରାକ୍ଷୀ ବନ୍ଧା…
ଜଗା ବଳିଆ ବି
ଅତୁଟ ସମ୍ପର୍କେ
ସୁଭଦ୍ରା ପ୍ରେମରେ ଛନ୍ଦା ||

ପ୍ରଭୁ ଜଗନ୍ନାଥ
ଦିଅ ସୁଭାଶିଷ
ଯୁଗ ଯୁଗାନ୍ତର ପାଇଁ ……
ନବ ଜ୍ଞାନଞ୍ଜନ
ଅମ୍ଲାନ ପ୍ରତିଭା
ଜୀବନେ ଭରିବା ପାଇଁ ||

ଶକୁନ୍ତଳା ମହାପାତ୍ର

ନୟାଗଡ଼

 

Copyright © Sahitya Jibana | Newsphere by AF themes.