Sahitya Jibana

Portal on odia literature

ଏ କି ସ୍ୱାଧୀନତା – ଡ଼. ପଦ୍ମଲୋଚନ ରାଉତ

1 min read

 

ଯେଉଁଠି ନାରୀ ନୁହେଁ ସୁରକ୍ଷିତା
ଯୁବକ ବିପଥଗାମୀ
ରାଜରାସ୍ତାରେ ବସିଛନ୍ତି ଚାଷୀ
ନେତା ଏଠି ପରାକ୍ରମୀ
ଜନତା ଆଖିରେ ଲୁହ
ଆତଙ୍କବାଦୀର ଗୁଳି ବନ୍ଧୁକରେ
ଛୁଟୁଛି ରକତ ସୁଅ l 1

ହତ୍ୟା ଲୁଣ୍ଠନେ ନାରୀ ବଳାତ୍କାରେ
ସମାଜ ଥର ହର
ଲାଞ୍ଚ ନ ଦେଲେ ହୁଏ ନାହିଁ କାମ
ନିଦା ବିଷ୍ଣୁ ସରକାର
ଚାରିଆଡେ ହା’ ହା’ କାର
ଶିକ୍ଷିତ ଯୁବକ ବେକାର ବୁଲୁଛି
ନାହିଁ ତାର ରୋଜଗାର l 2

ତାଳୁରୁ ତଳିପା ବ୍ୟାପିଛି ଦୁର୍ନୀତି
ଲୁଣ୍ଠିତ ଦେଶବାସୀ
ନେତାଙ୍କ ଭାଷଣେ ବିକାଶର ଚିତ୍ର
ମହାଶୂନ୍ୟେ ଆସେ ଭାସି
ଆସିଛି ସ୍ୱାଧୀନତା
ସାମ୍ପ୍ରଦାୟିକ ହିଂସା ଅନଳେ
ଜଳୁଚି ଜୀଵନ ଚିତା l 3

ସୁରକ୍ଷିତ ନୁହେଁ ଜନତା ଜୀଵନ
ଚାରିଆଡେ ଫୁଟେ ଗୁଳି
ଧରମ ନାଆଁରେ ଚାଲୁଛି ଶାସନ
ନେତାଏ ବାହୁବଳୀ
କାନ୍ଦୁଚି ଭାରତ ମାତା
କ୍ଷମତା ଜାଲରେ ବନ୍ଧା ପଡ଼ିଅଛି
ଏ ଦେଶର ସ୍ୱାଧୀନତା l 4

ହିଂସାର ନିଆଁ ଜଳୁଚି ଦେଶରେ
ସ୍ୱାଧୀନତା ଅସହାୟ
ତଥାପି ଶୁଭୁଚି ସହସ୍ର କଣ୍ଠରୁ
ଭାରତ ମାତାକି ଜୟ
ସତ୍ୟ ଅହିଂସା ପଥେ
ବାପୁ ଆଣିଛନ୍ତି ଏଇ ସ୍ୱାଧୀନତା
କହି ପାରିବକି ମୋତେ ?? 5

ସେବା ନାଆଁରେ ଚାଲିଛି ଲୁଣ୍ଠନ
‘ବାବୁ ମାନେ’ କୋଟିପତି
ନେତାଙ୍କ ଭାଷଣେ ବିକାଶର ସ୍ବପ୍ନ
ସ୍ୱାଧୀନତା ଦେଖେ ନିତି
ହିଂସାର ନିଆଁ ଜାଳି
ସ୍ୱାର୍ଥପର ଶିଖାଉଛି ଦେଶପ୍ରେମ
ସତ୍ୟ -ଅହିଂସା ଭୁଲି ! 6

ତଥାପି ଉଡ଼ୁଛି ଏ ଦେଶ ବକ୍ଷରେ
ତ୍ରିରଙ୍ଗା ଫର ଫର
“ଜନ -ଗଣ -ମନ “ଗାଉଛି ଜନତା
ମନେ ନାହିଁ ତିଳେ ଡର
ଭାରତ ମାତାକି ଜୟ
‘ବନ୍ଦେ ମାତରମ’ ‘ଜୟ ହିନ୍ଦ’ରେ
ସ୍ୱାଧୀନତା ରଖେ ଲୟ l 7

*****

ଡ଼. ପଦ୍ମଲୋଚନ ରାଉତ
ଗବେଷକ, ଇଂରାଜୀ ସାହିତ୍ୟ
କଳିଙ୍ଗ ବିଶ୍ୱବିଦ୍ୟାଳୟ, ରାଇପୁର 

Copyright © Sahitya Jibana | Newsphere by AF themes.