Sahitya Jibana

Portal on odia literature

ମୋବାଇଲ ମାୟାରେ ବାୟା – ରମେଶ ଚନ୍ଦ୍ର ନାୟକ

1 min read

ମୋବାଇଲ ଫୋନ  ସାରା ଜଗତକୁ
          ମାୟାରେ ବାଇଆ କଲା
   ଛୋଟ ପିଲା ଠାରୁ  ବୁଢ଼ା ବୁଢୀ ଯାଏ
           ସଭିଙ୍କର ପ୍ରିୟ ହେଲା ।
           ଧନ୍ୟ ଜନ୍ମ ଦାତା ସେହି
   ଆମେରିକା ଦେଶେ  ମାର୍ଟିନ୍ କୁପର
            ଯାଇଛି ଅମର ହୋଇ।।

   ସକାଳୁ ଉଠିଲେ  ମୋବାଇଲ ଖୋଜା
              ଗୁଡ ମର୍ଣିଂ ଦେବା ପାଇଁ
   ଶୋଇବା ପୂର୍ବରୁ  ଶୁଭ ରାତ୍ରୀ ବାର୍ତ୍ତା
             ଦେବାକୁ ଭୁଲନ୍ତି ନାହିଁ।
              ନିତି ଦିନ କଥା ଏହି
     ଖିଲାପ କରିଲେ  ବାରତା ଆସଇ
            ଭୁଲି ଗଲକିହେ ଭାଇ ।।

    ସ୍ମାର୍ଟ୍ ଫୋନ ଧରି  ବିଦ୍ୟାର୍ଥୀ ପଢନ୍ତି
              ଅନ୍ ଲାଇନ୍ ରେ ପାଠ
   ପାଠ ବାହାନାରେ  ଗୀତ ଖେଳ ଚିତ୍ର
              ଫିଲିମି ଦେଖିବା ସତ।
              ବାପ ମାଆ ମନ ଚିଡେ
   ସମୟ ସ୍ରୋତରେ   ସଭିଏଁ ତ ବନ୍ଧା
             ଆକଟେ ଅଶାନ୍ତି ବଢେ।।

   ମୋବାଇଲ ଦେଖି  ଗୃହିଣୀ ରାନ୍ଧଇ
             ସୁସ୍ବାଦୁ ବ୍ୟଞ୍ଜନ କେତେ
   ଚାଷୀ ଭାଇ ମାନେ  ନାନା କିସମର
              ଫସଲ ଫଳାନ୍ତି ହାତେ।
              ଉପକାରୀ ବନ୍ଧୁ ଟିଏ
    ଶିକ୍ଷଣୀୟ ଆଉ   ମନୋରଞ୍ଜନର
           ଖୋରାକ ଯୋଗାଇ ଥାଏ।।

   ରସିକ ନାଗର   ପ୍ରେମର ମାଷ୍ଟର
           ଗାଲ ଚୁମେ ଶତ ଶତ
   ଅଧିକ ଚୁମିଲେ   ଗୋରା ଗାଲ କଳା
            ପଡି ଯାଇଥାଏ ସେତ।
            ତରୁଣ ତରୁଣୀ ମନେ
   ଜାଗି ଉଠେ ପ୍ରେମ  ହାତକୁ ଦି ହାତ
          ହୋଇଥା’ନ୍ତି କେତେ ଜନେ।।

    ଖବର  କାଗଜ   ଦୂରଦରଶନ
          ବେତାର ଖବର ସହ
   ଦେଶ ବିଦେଶର  ବାର୍ତ୍ତା ପ୍ରସାରଣ
           କରିଥାଏ ଅହରହ।
        କୋଟି ଜନ ମନ କିଣେ
   ଜୀବନ ପଥରୁ  କରିଲେ ଅନ୍ତର
        ରହି ପାରିବେନି ଜଣେ ।।

   ରହିଥାଏ ସିଏ   ପକେଟ୍ ଭିତରେ
             ଅବା ହାତ ପାପୁଲିରେ
   କାମ ଧନ୍ଦା ବେଳେ  ଅବସର କାଳେ
             ସଦା ମନ ତାକୁ ଝୁରେ।
              ସିଏତ  ପରାଣ  ମିତ
   ଛୋଟିଆ ହେଲେବି  ବଡ ତା’ ଧମାକା
             କର ତାକୁ ପ୍ରଣିପାତ।।
                    * * * * *

                       ରମେଶ ଚନ୍ଦ୍ର ନାୟକ
            କେଶରପୁର , ବକ୍ସି ବଜାର , କଟକ 
               ଦୂରଭାଷ :- ୭୯୭୮୧୫୧୭୧୦

Copyright © Sahitya Jibana | Newsphere by AF themes.