Sahitya Jibana

Portal on odia literature

ଡାକିବୁରେ ବାହୁଡାକୁ – ସୁଦାମ ଦଳବରା

1 min read

 

ତୋ ରଥଯାତ୍ରାକୁ ନ ଡାକିଲୁ ନାହିଁ
ଡାକିବୁରେ ବାହୁଡାକୁ
ତୋ ଆଖି ସହ ମୋ ଆଖିକୁ ମିଶାଇ
ଦେଖିବି ତୋ ରୂପକାନ୍ତିକୁ ।।

ଦେଖି ନାହିଁ ତୋତେ ବହୁତ ଦିନରୁ
ଦେବୁରେ ଦର୍ଶନ ତୋର
ରଥା ରୂଢେ ତୋର ନବ ଯୌବନ ବେଶ
ଆହାଃ କି ଲାଗିବରେ ମନୋହର ।।

ତୋ ରୂପ ତୋ କାନ୍ତି ଦର୍ଶନ କରିରେ
ପୂର୍ଣ୍ୟ ହେବ ଆତ୍ମା ମୋର
ତୋ ବଡ଼ଦାଣ୍ଡରେ ତୋ ଦର୍ଶନ କରିଲେ
ଜୀବନ ସାର୍ଥକ ମୋର ।।

ତୋ ରଥ ଦଉଡି ଟାଣିବି ବୋଲିରେ
ମନେ କେତେ ଆଶା ବାନ୍ଧିଥିଲି
ଶ୍ରୀଗୁଣ୍ଡିଚା ଯାତ୍ରାରେ ନଦେଲୁ ସୁଯୋଗ
ବାହୁଡାରେ ଦେବୁ କାଲି ।।

ଦେବୁରେ ଟିକିଏ ମାଉସୀ ମା ମିଠା
ମହାଲକ୍ଷ୍ମୀଙ୍କ ଭାଗରୁ ଟିକେ
ମନ୍ଦିରକୁ ସବୁ ନ ନେବୁରେ ତୁହି
ଅଧା ଦେଇକି ଯିବୁ କି ମୋତେ ।।

ଟିଭି ପରଦାରେ ଦେଖିଲେ ତୋତେରେ
ଜମା ମନ ବୁଝୁନାହିଁ
ଭକ୍ତ ଭଗବାନ ଦୂରତା ରହିଲେ
ସେ ଭାବ ଆସିବ କାହିଁ ।।

ତୁ ଚାହିଁଦେଲେ ହଟିବରେ ସବୁ
ଯେତେ ଅଛି କଟକଣା
ଭକ୍ତର ଆବେଗ କୋହ ଭରା ଭାବ
ତତେ ସବୁ ଅଛି ଜଣା ।।

ତୋ ବଡ଼ଦାଣ୍ଡରେ ଠିଆ ହେବା ପାଇଁ
ଦେବୁରେ ସୁଯୋଗ ଟିକେ
କିଏ ଜାଣେ ଏ ସୁଯୋଗ ମୋର
ଶେଷ ସୁଯୋଗ ଯେ ନହେବ ଅବା ସତେ ।।

ସୁଦାମ ଦଳବରା
ତୁରୁମୁ, ଭଞ୍ଜନଗର, ଗଞ୍ଜାମ

Leave a Reply