Sahitya Jibana

Portal on odia literature

ରଜପର୍ବ – ରାଜେଶ୍ୱରୀ ପଣ୍ଡା

1 min read

ଫସଲର ସପନ ଦେଖଇ ଚାଷୀ

ବରଷାର ଆଗମନରେ,

ଗ୍ରୀଷମ ଶେଷରେ ବରଷା ଆରମ୍ଭ

ଆନନ୍ଦ ଭରଇ ମନରେ ll

କୃଷିର ପରବ ରଜ ପରବଟି

ପାଳିଥାନ୍ତି ଓଡ଼ିଆ ଘରେ,

ପହିଲି ବର୍ଷାର ପ୍ରଥମ ପରଶ

ଉନ୍ମାଦନା ସୃଷ୍ଟି କରେ ll

 

ଆବାଳ ବୃଦ୍ଧ ଆଉ ବନିତା ଲତା

ଆନନ୍ଦ କହିଲେ ନସରେ,

କୁଆଁରୀ କନିଆ ସଜବାଜ ହୋଇ

ଅଳତା ନାଆନ୍ତି ପାଦରେ ll

 

ତିନିଦିନ ଧରି ରଜର ପରବ

ସୁଖେ ପାଳନ୍ତି ପଲ୍ଲୀ ପୁରେ,

ପହିଲି ରଜ ପରେ ରଜ ସଂକ୍ରାନ୍ତି

ଭୂମି ଦହନଟି ତାପରେ ll

 

ସୂର୍ଯ୍ୟଙ୍କ ସ୍ଥିତି ମୃଗଶିରା ନକ୍ଷତ୍ରେ

ବସୁମତୀ ମା ରଜସ୍ୱଳା,

ଜୀବନ ଧାରିଣୀ ଧରଣୀର ପାଇଁ

ଆସିଥାଏ ବିଶ୍ରାମ ବେଳା ll

 

ଲଙ୍ଗଳକୁ ଛାଡ଼ି ଚଷା ଭାଇ ଆମ

ମାତଇ ବିଭିନ୍ନ ଖେଳରେ,

ପୋଡ଼ ପିଠା ସାଥେ ପାନର ବାସନା

ମହକିଥାଏ ଘରେ ଘରେ ll

 

ନୂଆଲୁଗା ପିନ୍ଧି ଝିଅ ପିଲାମାନେ

ସଜେଇ ହୁଅନ୍ତି ଖୁସିରେ,

ସଜବାଜ ହୋଇ ଦୋଳିରେ ଝୁଲନ୍ତି

ରଜଗୀତ ଗାଇ ସାଥିରେ ll

ରାଜେଶ୍ୱରୀ ପଣ୍ଡା

                                  ସୁନହଟ, ବାଲେଶ୍ଵର 

Leave a Reply