Sahitya Jibana

Portal on odia literature

ରଜ ସଜ ବାଜ ନାହିଁ – ଶ୍ଯାମା ପ୍ରସାଦ ବୋଷ

1 min read

ରଜ ସଜ ବାଜ ନାହିଁ ଲୋ ବଉଳ

ରଜ ସଜ ବାଜ ନାହିଁ

ମଉସୁମୀ ନାଟ ମାରିଛି ଲୋ ଛାଟ

ରଜର ମଉଜ କାହିଁ

ଲଘୁଚାପ ଥିଲା ଚାହିଁ

ମଉସୁମୀ ସାଥେ ମିଶି ବରଷିଲା

ରଜ ମଉଜ କୁ ଧୋଇ ।୧।

 

‘ୟସ୍,ବାତ୍ଯା ଆସି ଲୁଟି ନେଲା ଖୁସି

ଭାଙ୍ଗି ସବୁ ଗଛ ବୃଛ

ଦୋଳି ଟାଙ୍ଗିବାକୁ ଡାଳ ଟେ ମିଳୁନି

ଦୋଳି ଖେଳ ହେଲା ତୁଛ

ସଜ ବାଜ କରି ପଛ

ଭଙ୍ଗା ବାସ ଟିକୁ ସଜାଡୁ ସଜାଡୁ

ମଉଜ ଲାଗଇ ମିଛ ।୨।

 

କରୋନା ଭୂତାଣୁ କରି ଅଛି ସ୍ଥାଣୁ

କଟକଣା ଯେତେ ସବୁ

ରଜ ମଉଜର ଆଶା ମଉଳିଛି

ତା’ର କଥା ଭାବୁ ଭାବୁ

ସାରା ଦେଶ ଉବୁ ଟୁବୁ

ଭୟରେ ଭୟରେ ଦିନ ସରିଯାଏ

କରୋନା କରିଛି କାବୁ ।୩।

 

ନାହିଁ ପିଠା ପଣା ମନୋହର କିଣା

ଲକ୍ଷ୍ମଣ ଗାର ଟି ଟଣା

ଏକ ଠାବ ମନା କରିଛି କରୋନା

ରଜ ହେଲା ବାଟ ବଣା

ଖାଲି ହୋଇଲାଣି ଠଣା

ଜୀବନ ଜୀବିକା କେବେ ସୁଧୁରିବ

କାହାକୁ ଅଛି ବା ଜଣା ।୪।

 

ସାଥୀ ସାଙ୍ଗ ପର ଦେଖି ଲାଗେ ଡର

ଭୟରେ ଉଠୁଛି ଥର

ଦ୍ୱିତୀୟ ଲହର ବଡ ଭୟଙ୍କର

କରୁଅଛି ଥର ହର

ରଜ ଲେଉଟିଲେ ଜର

ମଣିଷ ଶରୀର ଅଟେ ତାର ଘର

ଦେଖୁନି ଆପଣା ପର ।୫।

 

ଭୂତାଣୁ ରୂପରେ ବୁଲୁଛି ମର୍ତ୍ତରେ

ସତେ କିବା ଯମ ଚର

ରଜ ମଉଜ ରେ ପଶିଯିବ ଘରେ

ପାଇଛି ଅମର ବର

ବଉଳ ସେ ବଡ ଖର

ରଜ ସଜ ବାଜ ହେବାକୁ ଲୋ ଆଜ

ଛାତିରେ ଛନକା ମୋର ।୬।  

 

ତାସ , ଲୁଡୁ ଖେଳ କାଳେ ହେବ କାଳ

ଭୟରେ ବୋହୁଛି ଝାଳ

ରଜର ମଉଜ ଫସର ଫାଟିଛି

ପଡିଛି ଖରାପ ବେଳ

କରୋନା କରିଛି ଛଳ

ରଜ ସଜ ବାଜ ନାହିଁ ଲୋ ବଉଳ

ଏ ସନ ଯଗି କି ଚଳ ।୭।

 

ଶ୍ଯାମା ପ୍ରସାଦ ବୋଷ , ମଲ୍ଲିକ୍ ସାହି ,ଗୋପ , ଜିଲ୍ଲା :-ପୁରୀ

 

Leave a Reply