Sahitya Jibana

Portal on odia literature

ରଜ – ରବି ପ୍ରଧାନ

1 min read

ରଜର ମଉଜ ଆଗପରି ନାହିଁ,ବଦଳୁଛି ପରମ୍ପରା

ରାସ୍ତା ଆଉନାହିଁ ରଜପାଳିବାକୁ,ଶ୍ରୀ ହୀନ ଦିଶଇ ଧରା ।୧।

ରାମ,ଦାମ,ଶ୍ୟାମ ମେଳି ଆଉନାହିଁ,କବାଡି ଖେଳିବା ପାଇଁ

ରଘୁବାବୁ,ହରିବାବୁ ପରି ବାବୁ,ତାଆସ୍ ଖେଳନ୍ତି ନାହିଁ ।୨।

ରଜଦୋଳି ଆଉ ଦିଶୁନାହିଁ ଏବେ,ପାର୍କରେ ଗହଳି ଜମେ,

ରାଧା ନାନୀ ଆଉ ଗୀତଗାଉନାହିଁ,କ’ଣ ଘଟେ ତା’କରମେ ।୩।

ରାମନାମ ଆଉ ହରିବୋଲ ଧ୍ୱନି,ହେଲାଣି ସାତ ସପନ,

ରୋମାଣ୍ଟିକ୍ ଗୀତ ଗ୍ରାମରେ ଶୁଭୁଛି,କ୍ଷୀଣ ହେଲା ସର୍ବମନ ।୪।

ରଜଦୋଳି ଛାଡି ମୋବାଇଲ ଧରି,ରମଣୀ ପାଏ ଆନନ୍ଦ,

ରସିକ ପ୍ରେମିକ ଲାଗଇ ତାହାକୁ,ସତେ ଯେହ୍ନେ ମକରନ୍ଦ ।୫।

ରାତି ଉଜାଗର ହୁଅନ୍ତି ଭେଣ୍ଡିଆ,ମୋବାଇଲ ଚାଟ୍ କରି,

ରୀତିନୀତି ଏଠି ଗୋଳମାଳ ସବୁ,ସ୍ନେହ,ଶ୍ରଦ୍ଧା ଯାଏ ମରି ।୬।

ରଖିବା ରଜର ସନମାନ ସର୍ବେ,ଏତିକି ମିନତି ମୋର,

ରବି ହୀନ ଦୋଷ କ୍ଷମା କରିଦେବ,ଥିଲେ ଭୁଲ୍ ଏ ଲେଖାର ।୭।

 

ରବି ପ୍ରଧାନ

ବାଣପୁର, ଖୋର୍ଦ୍ଧା

 

Copyright © Sahitya Jibana | Newsphere by AF themes.