Sahitya Jibana

Portal on odia literature

ମୋ ସାବିତ୍ରୀ – ସୁକାନ୍ତ ଖଣ୍ଡା

1 min read

ସକାଳୁ ସକାଳୁ ମୋ’ ସାବିତ୍ରୀ ଆଜି ଧରିଛି ମୋ’ର ତଣ୍ଟିରେ
ବାପଘରୁ ତା’ର ଆସିଲାନି ଭାର କହୁଛି ଝିଙ୍ଗାସି ବାରେ।୧
ଯଥାଶୀଘ୍ର ଯାଇ ବଜାରକୁ ତୁମେ କିଣିଆଣ ଲୁଗା ବାଛି
ଫଳ ବି ତାଲିକା ଦେଲି ମୁଁ ଧରାଇ ଆଉ ଭାବନାହିଁ କିଛି।୨
ବାପଘରୁ ସବୁ ବର୍ଷ ଆସୁଥିଲା ଏବେ ମହାମାରୀ ପାଇଁ
କେହି ଆସିବେନି ଆମ ଏ ଘରକୁ ତୁରନ୍ତ ଯାଉନ କାହିଁ?୩
ଭାବୁଅଛ କ’ଣ ନୀରବରେ ବସି କେବେ ତ କିଛି ଦେଇନ
ବାପଘରୁ ସଦା ଆସିଥାଏ ଭାର ସେଥିରେ ଚଳାଏ ଦେଖିନ?୪
ସବୁଶୁଣି ସାରି କହିଲି ତାହାକୁ କିଏ କହୁଥିଲା ଆଣ
ପ୍ରତିବର୍ଷ ଏହି ପରବ ଆସିଲେ ସାବିତ୍ରୀ ଓଷାରେ ଧ୍ଯାନ।୫
ସବୁ ଦିନରାତି ଗୋଇଠା ମାରୁଛ ଚାପୁଡା଼ ଗାଲରେ ଧୁଅ
ଏଇଟା ନାହିଁ କି ସେଇଟା ବି ନାହିଁ କଅଁଳ କଥା କି କୁହ?୬
ସରାଗରେ ଆଜି ଗେହ୍ଲେଇ ହେଉଛ ସତ୍ଯବାନ ତୁମ ପ୍ରାଣ
ଅଥଚ ଅନ୍ଯ ଏ ଦିନରେ ତୁମର କୁକୁର ଠାରୁ ବି ହୀନ।୭
ଶୁଣିକି ଚିହିଁକି ଚାପୁଡା଼ଟେ ଗାଲେ ଥୋଇ ଦେଲା ମୋ’ ସାବିତ୍ରୀ
ଗୋଇଠା ଅଣ୍ଟାକୁ ମାରି ଠିଆ ହେଲା ବାଘୁଣୀ ପରି ମୋ’ ସତୀ।୮
ଧନ୍ଯ ହୋଇଗଲା ସତ୍ଯବାନ ଆଜି ପାଇଲା ଅନନ୍ତ ପୂଜା
ଏମିତି ସମ୍ପର୍କ ଭାଗ୍ଯେଥିଲେ ମିଳେ ଭକ୍ତିମତୀର ଏ ଧ୍ବଜା।୯
ଜଗତ କଲ୍ଯାଣ ପାଇଁ ଏ ପରବ ଯଦି ସ୍ଥାପନଟା ହୋଇଛି
ମୋ ପରି ଆଜି ଦିନେ ଏ ସତ୍ଯବାନ ଆଖିରୁ ଲୁହକୁ ଛାଡୁଛି।୧୦
***

ସୁକାନ୍ତ ଖଣ୍ଡା
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର

Leave a Reply