Sahitya Jibana

Portal on odia literature

ଆଶାଠୁ ଅଧିକ ତୁମେ ହେ ସମୟ – ଶକୁନ୍ତଳା ମହାପାତ୍ର 

1 min read

 

ଆଶାଠୁ ଅଧିକ ତୁମେ ହେ ସମୟ

ଚାଲିଯାଅ କେତେବେଳେ..

ପଛକୁ ଚାହିଁକି ଖୋଜିଲା ବେଳକୁ

ସ୍ବପ୍ନ ଉଙ୍କିମାରି ଖେଳେ l

 

ସ୍ବପ୍ନ କୁ ସାଉଁଟି ମାଳ ଗୁନ୍ଥିବାକୁ

ଖୋଜେ ଯେବେ କାଳ ବେଳ…

ନେପଥ୍ୟରୁ ଥାଇ ଅଙ୍କୁଶ କେ ମାରେ

ପାଗ ହୁଏ ପ୍ରତିକୂଳ l

 

ଚପଳ ମତିର ପ୍ରଥମ ପାହାଚେ

ଝୁଣ୍ଟି ପଡିଥିଲା ବେଳେ…

ସ୍ମିତହାସ୍ୟ ତୁମ ଉଦ୍ଜୀବିତ କରେ

ହୃଦୟର ଅନ୍ତରାଳେ l

 

ସୁଖକୁ ଅଣ୍ଟିରେ ଦୁଃଖ କୁ ପିଠିରେ

ବୋହି ଚାଲିଥିବା ବେଳେ…

ଆଶାବାଡି ପରି ସିଧା କରିଦିଅ

ଜାଣେନାହିଁ କେତେବେଳେ l

 

ସଂଘର୍ଷରେ ଛନ୍ଦି ହତାଶା ରେ ରୁନ୍ଧି

ଖୋଜେ ଯେବେ ସମତୁଲ..

ଶସ୍ତା ଉପଦେଶ କେତେ ମୁଁ ଦେଖିଛି

ମହଙ୍ଗା ସିନା ତା ମୂଲ l

 

ଘାତେ ପ୍ରତିଘାତେ ଦାନେ ପ୍ରତିଦାନେ

ଚିନ୍ତୁଥାଏ ଦୁଇକୂଳ…

ଜନ୍ମସିନା ଲଭେ ଏନ୍ତୁଡ଼ିଶାଳ ରେ

ଏଇତ ମୋ କର୍ମ ସ୍ଥଳ l

 

ଦୁଃଖ ବିଡମ୍ବନା ସୁଖଦ ସାଧନା

ତାରତମ୍ୟ ତୁମ ଖେଳ…

ଉନବିଂଶ ବର୍ଷ ଲଗେକି ଏଇନେ

ମନେପଡେ ବୋଉ କୋଳ l

 

ଶିଖାଇଛ ମୋତେ ଦୁଃଖପରେ ସୁଖ

ସବୁଥିରେ ତୁମେ ଅଟଳ…

ତୁମରି ଦାସତ୍ୱ ସ୍ୱୀକାର ମାତ୍ରକେ

ନିମିଷକେ ହୁଏ ଚଞ୍ଚଳ l

 

ଜୀବନର ରାସ୍ତା ଜମା ସିଧା ନୁହେଁ

ଅଙ୍କା ବଙ୍କା ଟିକେ ଗୋଲ…

ଜାଣି ବା ଅଜଣା ମଣିଷ ମାତ୍ରକେ

କରିଥାଏ କିଛି ଭୂଲ l

 

ଜୀବନ ଜଂଜାଳ ଐଶ୍ୱରୀୟ ଦାନ

ଉଠେ ଯେବେ ଆଖି ମଳି….

ତୁମହାତ ଧରି ଆଗକୁଯିବାକୁ

ଜାଳେ ମୁଁ ଅର୍ଘ୍ୟ ଦୀପାଳି l

 

ତୁମେ ତୀବ୍ରଗତି ମୁଁ ଯେ ଝରାଫୁଲ

ହେବି ନାହିଁ ତୁମ୍ଭ ତୁଲ୍ୟ…

ତଥାପି ଜୀବନେ ଯାହାବି ପାଇଛି

ସେଇ ମୋ ସୁଖ କୈବଲ୍ୟ l❤

 

ଶକୁନ୍ତଳା ମହାପାତ୍ର 

ଖଣ୍ଡପଡା, ବଜ଼ାରସାହି , ନୟାଗଡ଼