Sahitya Jibana

Portal on odia literature

ମୋ ପୁଅ ଆମେରିକା ରେ – ନିଶୀଥ୍ ଚକ୍ରବର୍ତ୍ତୀ

1 min read
dock under cloudy sky in front of mountain

Photo by Pixabay on Pexels.com

ପଚିଶି , ମେ , ଦୁଇହଜାର ଏକାେଇଶି । ହେଇ ରେଡ଼ିଓ ରେ ବାଜିଲାଣି ” ୟସ୍ ” ଆସୁଛି ,ସବୁ ଉଡେଇନେବ ! ସଚିବ କହିଲେଣି ସବୁ ସୁରକ୍ଷିତ ସ୍ଥାନ କୁ ଚାଲିଯାଅ , ଶୁଖିଲା ଖାଦ୍ୟ ପାଖରେ ସାଉଁଟି ରଖ , ଉଚ୍ଚା ସ୍ଥାନ କୋଠାଘର କୁ ସବୁ ଚାଲିଯାଅ , ଜୀବନ ପ୍ରତି ବିପଦ ଅଛି । ଦେଉଳିପଡ଼ା ଗାଁ ର ବିଷିଆ ବୁଢା ପରିବାର ର କଥା । ଘର କହିଲେ ବିଷିଆ ବୁଢା ନିଜେ , ତା ସ୍ତ୍ରୀ ଲକ୍ଷ୍ମୀଦେଈ ଆଉ ଗୋଟେ ବୋଲି ପୁଅ ଆଲୋକ । ବିଷିଆ ବୁଢା ର ସ୍ୱପ୍ନ ଥିଲା ପୁଅ ବହୁତ ପାଠ ପଢିବ , ଗୋଟେ ବଡ଼ ଇଂଜିନିୟର ହେବ ଆଉ ଆମେରିକା ଯିବ , ଏତେ ବିଦେଶ ଥାଉଥାଉ ତାର କିନ୍ତୁ ଧାରଣା ଥିଲା ଯେ ଆମେରିକା ଯିଏ ଗଲା ସିଏ ବହୁତ ପାଠପଢିଛି ଆଉ ବହୁତ ଧନୀ ବଡ଼ଲୋକ । ତା ପୁଅ ବି ପିଲା ବେଳୁ ଖୁବ୍ ଭଲ ପାଠ ପଢେ , ମାଟ୍ରିକ ରେ ଟପ୍ପର ହେଇଥିଲା ପରେ ଭୁବନେଶ୍ୱର ଆସି ଗୋଟେ ବଡ଼ ସରକାରୀ କଲେଜ ରେ ବିଜ୍ଞାନ ପଢିଲା ଓ ପରେପରେ ଗୋଟେ ବଡ଼ କଲେଜ ରୁ ଇଂଜିନିୟରିଂ ପାସ୍ କରିଲା । ଅବଶ୍ୟ ବିଷିଆ ବୁଢା ତା ପୁଅ କୁ ଭଲ ପାଠ ପଢେଇ ମଣିଷ କରିବା ପାଇଁ ତାର ବହୁତ ଜମି ବିକି ଦେଇଥିଲା ଓ ବହୁ ଦୁଃଖ କଷ୍ଟ ରେ କାଳାତିପାତ କରି ପୁଅ କୁ ମଣିଷ କରିଥିଲା । ଗୋଟେ ପୁରୁଣା ଧତଡ଼ା ଧୋତି ଆଉ ତେଲକଣ୍ଟିଆ ମସିଆ ଗାମୁଛା ରେ ତାର ଯୌବନ ବିତିଗଲା । ମୂଲ ଲାଗି , ହଳ କରି ଯାହା ଦି ପଇସା ପାଏ ନିଜ ଘର ଖର୍ଚ୍ଚ ସହ ପୁଅ ର ବାହାରେ ରହି ପଢିବା ,ଘରଭଡ଼ା , ଖାଇବା , ବହିପତ୍ର ଆଦି ରେ ସବୁ ସରିଯାଏ , ଟଙ୍କାଟିଏ ବି ବଞ୍ଚେନା । ସେଥିରେ ବିଷିଆ ବୁଢା ର ସ୍ୱପ୍ନ କଥା ଅବା କହିଲେ ନସରେ ; ପୁଅ ଇଂଜିନିୟର ହବ , ଆମେରିକା ଯିବ , ବହୁତ ବହୁତ ଟଙ୍କା ରୋଜଗାର କରିବ , ସେଠି ବଡ଼ ଘର ଟେ କରିବ ,ଗାଁ ରେ ବି ଗୋଟେ ସବୁଠୁ ଭଲ କୋଠା ଟେ କରିବ ,ତାକୁ ଆଉ ତା ସ୍ତ୍ରୀ କୁ ଆମେରିକ ବୁଲେଇନଵ ସେଠି ରଖିବ … ଏମିତି ବହୁତ କିଛି , ଯାହାକି ସ୍ୱଭାବିକ ଭାବେ ଜଣେ ବାପା ତା ଶିକ୍ଷିତ ରୋଜଗାରିଆ ପୁଅ ଠୁଁ ଆଶା କରେ । ବିଷିଆ ବୁଢା ପୁଅ କୁ ସବୁବେଳେ କାନ ରେ ମନ୍ତ୍ର କହିଲା ଭଳି କୁହେ ପୁଅ ତୁ ଆମେରିଲା ପଳା , ଆମେରିକା ବଡ଼ ସହର, ଆମେରିକା ଭଳି ବଡ଼ ଦେଶ ଆଉ ନାହିଁ, ଆମେରିକା ରେ ସବୁ ଅଛି ଏମିତି ବହୁତ କିଛି , ପୁଅ ଛୁଟି ରେ ଗାଁ କୁ ଆସିଲେ ତାକୁ ବେଶୀ ଦିନ ଘରେ ରହିବାକୁ ଦିଏନାହିଁ କିଛି ନା କିଛି ଆଳ କରି ପୁଣି ସହର କୁ ପଠେଇଦିଏ । ତାର ଗୋଟେ ଧାରଣା ଥିଲା ଯେ ଗାଁ ରେ ରହିଲେ କାଳେ ବାତରା ହେଇଯିବ , ଗାଁ ପିଲା ମାନେ ତାକୁ ନଷ୍ଟ କରିଦେବେ , ଗାଁ ପରିବେଶ ଭଲ ନୁହେଁ ଏମିତି ବହୁତ କିଛି । ପରିଶେଷ ରେ ପୁଅ ର ପଢା ସରିଲା, ପୁଅ ଆମେରିକା ର ଗୋଟେ ବଡ଼ ସଫ୍ଟୱେୟାର କମ୍ପାନୀ ର ଚାକିରି ପାଇଲା । ଏହି ଖବର ଶୁଣି ବିଷଆବୁଢା ଖୁସି ର ସୀମା ଆଉ କହିଲେ ନସରେ । ଖୁସି ହେଇ ଗାଁ ଯାକ ମିଠା ବାଣ୍ଟି ଦେଲା ,ସମସ୍ତ ଙ୍କୁ ପୁଅ ର ବିଦେଶ ଚାକିରି ର ଖୁସି ଖବର କହି ବୁଲିଲା । ଯିଏ ପଚାରିଲେ ଆରେ ବିଷିଆ ତୋ ପୁଅ କଣ କରୁଚି ଏବେ ? ବୁଢା ଗର୍ବ ରେ କହିଦେଉଥାଏ ମୋ ପୁଅ ଏବେ ଆମେରିକା ରେ , ସିଏ ଏବେ ବଡ଼ବାବୁ , ବହୁତ ରୋଜଗାର କରୁଚି …ଏମିତି ବହୁତ କିଛି । ଆଲୋକ ସେଠାରେ ଚାକିରି କରି ବହୁତ ଦରମା ପାଇଲା , ବଙ୍ଗଳା , ଗାଡ଼ି , ଚାକର ଠୁଁ ଆରମ୍ଭ କରି ସବୁ ରାଜକୀୟ ସୁବିଧା ରେ ସେଠାରେ ଜୀବନ କାଟିଲା । ସେ ମାସ କୁ ମାସ ବିଷିଆ ବୁଢା ଆକାଉଣ୍ଟ ରେ ଗୁଡାଏ ଟଙ୍କା ପଠାଇଦେଉଥାଏ ,ବୁଢା ବି ପ୍ରଥମ ଅବସ୍ଥା ରେ ଭାରି ଖୁସ୍ । ଏମିତି ଦିନ ପରେ ଦିନ ବିତି ଚାଲିଲା । ପୁଅ ବାପ କୁ ନଜଣାଇ ସେଠି ଜଣେ ଆମେରୀକୀୟ ତରୁଣୀ କୁ ବିବାହ କରିନେଲା । ଆସ୍ତେ ଆସ୍ତେ ସେ ଗାଁ ,ମାଟି , ଵାପା , ମାଆ ଏସବୁକୁ ଭୁଲିବାକୁ ଲାଗିଲା , ଆଗଭଳି ଆଉ ଟଙ୍କା ବି ବିଶେଷ ପଠାଇଲା ନାହିଁ କି ବାପା ମା’ ଙ୍କ ର ଭଲ ମନ୍ଦ ଖବର ବି ପଚାରି ବୁଝିଲା ନାହିଁ । ଆମେରିକା ଯିବା , ବୁଲିବା , ଗାଁ ରେ ବଡ଼ କୋଠା କରିବା ଏସବୁ ତ ଦୂର ର କଥା , ବିଷିଆ ବୁଢା ବର୍ଷବର୍ଷ ଧରି ତା ପୁଅ କୁ ବି ଦେଖିପାରିଲା ନାହିଁ , କ୍ରମଶଃ ସେ ବାର୍ଦ୍ଧକ୍ଯ ଗ୍ରାସିତ ହେଇ ଜରାଜୀର୍ଣ୍ଣ ହେବା କୁ ଲାଗିଲା । ନା ଚିକିତ୍ସା ପାଇଁ ପାଖ ରେ ଟଙ୍କା ଅଛି ନା ସେବା କରିବା ପାଇଁ ପୁଅ ବୋହୂ । ସବୁକଛି ଏବେ ଆମେରିକା ରେ । ବୁଢା ଭେଁଭେଁ ହେଇ କାନ୍ଦୁଥାଏ , ଆଉ ନିଜ ଅସହାୟତା ତ ଅଶ୍ରୁ ନିଜେ ପିଉଥାଏ , ମର୍ମେମର୍ମେ ବୁଝୁଥାଏ ଆଉ ହେଜୁଥାଏ ଆମେରିକା ସ୍ୱପ୍ନ ଆଉ ଅଧିକ ଟଙ୍କା ଘର କୁ ଆସିବା ନିଶା ରେ ସଂସାର କିପରି ଅଧାଅଧା ହେଇ ଭାସିଗଲା । ବାରମ୍ବାର ଗାଁ ଲୋକେ ତା ପୁଅ କୁ ଖବର ଦେବା ସତ୍ତ୍ୱେ ତା ପୁଅ ଚାକିରି ସମସ୍ୟା , ମିଟିଙ୍ଗ୍ ଅଛି , ଏମିତି ଢେର କିଛି ବାହାନା ଦେଖାଇ କଥାକୁ ଜାଣିଶୁଣି ଅଣଦେଖା କରୁଥାଏ । ତାର ଏମିତି ଅବସ୍ଥା ରେ ତାର ଗାଁ ସାହି ପଡ଼ିଶା ଲୋକ ସାହାଯ୍ୟ କରି ତାକୁ କିଛିଦିନ ପାଖ ଡ଼ାକ୍ତରଖାନା ରେ ଚିକିତ୍ସା କରାଇ ସେବାଯତ୍ନ କରି ରଖିଥିଲେ । ବିଷିଆ ର ଘର ବି ଆଉ କାଳେ ନାହିଁ , ଏହି ସନ ବାତ୍ୟା ରେ ତା ଚାଳ ଛପରଘର ଟା ପୁରାପୁରି ଭାଙ୍ଗି ମାଟି ରେ ମିଶିଯାଇଛି । ଏଵେ କଣ ଖବର ଆସିଥିଲା ଗୋଟେ ଅଜଣା ମହାମାରୀ ଵ୍ୟାଧି ରେ ବିଷିଆ ବୁଢା କି ତାର ସ୍ତ୍ରୀ ଆଉ ଏ ଇହଧାମ ରେ ନାହାନ୍ତି । କେଜାଣେ ? ଆଉ ସବୁଦିନ ପାଇଁ ଆମେରିକା ଚାଲିଯାଇ ନାହାନ୍ତି ତ ! =======================================ନିଶୀଥ୍ ଚକ୍ରବର୍ତ୍ତୀ

କାହ୍ନାଇ ଭବନ , କେନ୍ଦ୍ରାପଡ଼ା