Sahitya Jibana

Portal on odia literature

ଶେଫାଳୀ – ପ୍ରଜ୍ଞାଲିନ ସାହୁ 

1 min read

ଶେଫାଳି ମନ ଆଜି ବୁଝୁନି କିଛି

ବୋଧହୁଏ କିଛି ଖରାପ ଘଟିବ ଆଜି

ଶାନ୍ତ ମନରେ ଅଶାନ୍ତର ଝଡ଼ ଉଠୁଛି

ସ୍ପନ୍ଦନ ଜୁଆରକୁ ଦେଖି ଅସ୍ଥିର ହେଉଛି

ଆଲୋକ ଥାଇ ଦୁନିଆ ଅନ୍ଧାର ଦିଶୁଛି

ଫଳନ୍ତି ବୃକ୍ଷ ଥୁଣ୍ଟାରେ ଛିଡ଼ାହୋଇ କାନ୍ଦୁଛି

ଆଖି ଏ ସବୁ ଦେଖି ମନକୁ ପ୍ରଶ୍ନ କରୁଛି

କଣ ଆଜି ସିଏ ପୁଣି ଆସିବ କି?

ନାଁ ଅଛି ଅମାବାସ୍ୟା ନାଁ ବାଦଲର ତାଣ୍ଡବ

କିନ୍ତୁ ଦିଶୁଛି ଚାରିଆଡ ଘୋର ଅନ୍ଧକାର

କାଉର କା’ ରାବ ନାହିଁ କି ମିଠା ସନ୍ଦେଶ ଆସୁନି

ତେଣୁ ମନଟା ବହୁ ଅସ୍ଥିର ଅଛି

ସେଥିପାଇଁ ଶେଫାଳି କବାଟ କିଳି ବସିଛି

ନିଜର ଅଭୁଝା ମନକୁ ବୁଝାଇବା ପାଇଁ

ଶେଫାଳି ଖୋଲିଛି ଗୋଟି ଗୋଟି ସ୍ମୁତି ପେଡି

ହେଲେ ମନ ନା ବୁଝୁଛି ନା ଶୁଣୁଛି

ଖାଲି ପ୍ରଶ୍ନ କରୁଛି ନିଜ ମୁଖକୁ ଦେଖି

କଣ ସିଏ ଆଜି ପୁଣି ଆସିବ କି?

ଆଜି ମୋର ଠିକ ମନେଅଛି

ସେ ଦିନ ଥିଲା ଏମିତି ଏକ ନିସ୍ତବ୍ଦ ରାତ୍ରି

ଯୋଉଠି ନାଁ ଥିଲା ଜହ୍ନର ଜୋଛନା

ନାଁ ମୃଦୁ ମଳୟର ସୁରିଲା ଗାନା

ଫଗୁଣ ରଙ୍ଗେଇ ହୋଇ ଦିଶୁଥିଲା ଫିକା

ତଥାପି ଶେଫାଳି ବିଶ୍ୱାସରେ ଥିଲା ଆଶା

ସାଥିରେ ନେଇ ପ୍ରେମ ସ୍ନେହର ପୀରତି

ଦୌଡ଼ି ଯାଇଥିଲା ପ୍ରିୟର ପାଶେ

ହେଲେ କ୍ଷଣିକେ ବିଶ୍ୱାସ ହୋଇଥିଲା ବିଷ

ସେବେଠୁ ଶେଫାଳି ବଞ୍ଚିଥିଲା ଶବ ହୋଇ

କିଛି ଦିନ ପରେ ଦେଖି ଜହ୍ନର ଉଜ୍ୱଳ ମୁହଁ

ଶେଫାଳି ସାଜିଥିଲା ପୁଣି ଜୀବନ୍ତ ବିହଙ୍ଗ

ହେଲେ ଅନ୍ଧକାରର ଏମିତି ନିସ୍ତବ୍ଦ ରାତ୍ରି

କ୍ଷତାକ୍ତ କରେ ତା’ର ହୃଦୟକୁ ବାରମ୍ବାର ଆସି

ସେଥିଲାଗି ଆଜି ଭୟରେ ହୋଇ ସେ କାତର

ନିଜର ଛାଇ ଦେଖି ନିଜେ କରୁଛି ପ୍ରଶ୍ନ

କଣ ପୁଣି ସିଏ ଆଜି ଆସିବ କି?

=============*****=============

ପ୍ରଜ୍ଞାଲିନ ସାହୁ 

ଜଗତସିଂହପୁର, ବାଲିକୁଦା