Sahitya Jibana

Portal on odia literature

ମମତାମୟୀ ଜନନୀ – ବେଦବ୍ୟାସ ମେହେର

1 min read

ଦଶ ମାସ ଦଶ ଦିନ ଗର୍ଭେ ଧରି
ମାଆ ଦେଇଛି ଜନମ
ତାହାର ବକ୍ଷରୁ ଅମୃତ ଖୁଆଇ
ବଞ୍ଚାଇ ଅଛି ଜୀବନ ।

ଏନ୍ତୁଡି ଶାଳରୁ ବାତ୍ସଲ୍ୟ ପ୍ରେମରେ
ସ୍ନେହ ମମତା ଝରାଏ
କଲ୍ୟାଣ କାରିଣ ସ୍ନେହମୟୀ ମାଆ
ତ୍ଯାଗର ପ୍ରତୀକ ସିଏ ।

ମାଁ ବୋଲିଣ ଯେଉଁ ଗୋଟିଏ ଅକ୍ଷର
ସେଥିରୁ ଅମୃତ ଝରେ
ସେ ଅମୃତ ପାନ କରିଅଛି ଯିଏ
ଧନ୍ଯ ସିଏ ଏସଂସାରେ ।

ଚଳା ଶିଖାଇଛି ଭାଷା ଶିଖାଇଛି
ଶିଖାଇଛି ସିଏ ପାଠ
ତା’ରି ପାଇଁ ଭଲ ମଣିଷ ହୋଇଣ
ଚାଳୁଛି ଜୀବନ ବାଟ ।

ମମତାମୟୀ ସେ ସ୍ନେହ ପ୍ରଦାୟିନୀ
ମାଁ ନାମ ଅତି ମଧୁର
ସନ୍ତାନଟି ଯଦି ମାଆ କୋଳେ ଥିଲେ
ଦୁନିଆକୁ ନାହିଁ ଡର ।

ମାଆ କୋଳେ ଥାଏ ସରଗର ସୁଖ
ଅମୃତର ପରି କଥା
ମୁଣ୍ଡେ ହାତ ରଖି ଆଉଁସି ଦେଲେ ମା
ଚାଲିଯାଏ ସବୁ ବ୍ୟଥା ।
‍‍‍‍
ଜୀବନର ସବୁ ସଂକଟ ସମୟେ
ମାଆ ହୋଇଥାଏ ସାହା
ଜନ୍ମଦାତ୍ରୀ ମାଆ କଲ୍ୟାଣକାରୀ ସେ
ସର୍ବଦା କରଇ ଆହା ।

ମାଆର ପଣତେ ସଂସାରର ସୁଖ
ହୋଇଅଛି ପରା ବନ୍ଧା
ତାହାରି କୋଳରେ ସନ୍ତାନ ଯେ ଥିଲେ
ଆସେ ନାହିଁ କିଛି ବାଧା ।

ପୃଥିବୀଠୁ ବଡ ସ୍ବର୍ଗଠାରୁ ଉଚ୍ଚ
ଜନ୍ମଦାତ୍ରୀ ମାଁ ଆମର
ମାଆ ଠାରୁ ବଡ ଦୁନିଆରେ ନାହିଁ
ଜାଣିଛି ସାରା ସଂସାର ।

ମାଆ ଅଟେ ପରା ମମତା ଭଣ୍ଡାର
ଧନ୍ଯ ତା ପଣତକାନୀ
ସନ୍ତାନକୁ ତାର କହିଥାଏ ମାଆ
ଅମୃତର ପରା ବାଣୀ ।

ବୃଦ୍ଧା ବୟସରେ କଷ୍ଟ ଦେବା ନାହିଁ
କରିବାନି ହତାଦର
ମାଆ ଆମ ପାଇଁ ଅଟେ ଭାଗ୍ଯବାନ
କରିବା ଯତ୍ନ ତାହାର ।

ଜୀବନରେ କେବେ ଶୁଝି ପାରିବାନି
ମାଆର ସ୍ନେହ ଆଦର
ମାଆର ଚରଣେ ସେବା କରୁଥିବା
ଗାଇବା ନାମ ତାହାର ।

ବେଦବ୍ୟାସ ମେହେର
ଗ୍ରାମ-ଖଇରପାଲି
ପୋ-ବୁଡାମାଲ
ଥାନା – ପଦ୍ମପୁର
ଜିଲ୍ଲା- ବରଗଡ

Copyright © Sahitya Jibana | Newsphere by AF themes.