Sahitya Jibana

Portal on odia literature

ମାଆ – ଅନ୍ତର୍ଯ୍ୟାମୀ ସାହୁ

1 min read

କୃପାର ଭଣ୍ଡାର ମାଆର ଉଦର
ସେ ଉଦରେ ଦେଲା ବାସ,
ଦଶମାସ ଦଶ ଗଣିସେ ଦିବସ
ସହ୍ୟକରି ଭୋକ ଶୋଷ ।୧।
ବଢ଼େ ଦିନୁ ଦିନ ଉଦର ଗଠନ
ଯନ୍ତ୍ରଣା ହୁଅଇ ବେଶୀ,
ପୃଥିବୀ ପଣରେ କଷଣ ସହେରେ
ସହନଶୀଳ ପ୍ରକାଶି । ୨।
କେତେ ନାତ ଖାଏ ଜ୍ବାଳା ଦୁଃଖ ସହେ
ତଥାପି ରଖେ ଉଦରେ ,
କଷ୍ଟ ହୁଏ ବୋଲି ନ ଭାବେ ବାଚାଳୀ
ସନ୍ତାନ ପ୍ରାପ୍ତି ଆଶାରେ ।୩ ।
ଦୁଃଖ କଷ୍ଟ ସହି ମମତାର ମୟୀ
ଶେଷରେ ପ୍ରସବ କରେ,
ଜୀବନକୁ ବାଜି କରି ଗଳଗାଜି
ଅନ୍ଧ ସନ୍ତାନ ସ୍ନେହରେ । ୪ ।
ଭୂଲିଯାଏ ଦୁଃଖ ଦେଖି ପୁତ୍ର ମୁଖ
ହୁଅଇ ଆନନ୍ଦ ମନ,
ଭାବେ ମନେ ମନେ ଏ ସନ୍ତାନ ଦିନେ
ଶୁଝିବ ସେ ମାତୃଋଣ । ୫ ।
ଦିନୁ ଦିନ ପାଳେ ହୋଇ ମତ ଭୋଲେ
ବାୟାଣୀ ପୁତ୍ର ପ୍ରେମରେ,
ଓଦା ଶେଯେ ଶୋଇ ସୁଖାରେ ସୁଆଇ
ଦିନ ନିଏ ଏପ୍ରକାରେ ।୬।
ନିଜେ ନଖାଇଣ ସମ୍ଭାଳି ରଖିଣ
ନାନା ଦ୍ରବ୍ୟମାନ ଆଣି,
ସନ୍ତାନର ପାଇଁ ସୁଖ ଅଜାଡଇ
ମମତାମୟୀ ଅନ୍ଧୁଣୀ ।୭।
ପୁତ୍ର ସୁଖ ପାଇଁ ପୂଜା ମନାସଇ
ବ୍ରତ ଉପବାସ ରହି,
ପ୍ରାର୍ଥନା କରଇ ମନ୍ଦିରକୁ ଯାଇ
କୃପା କର ଭାବଗ୍ରାହୀ । ୮ ।
ମୋ ପୁତ୍ରକୁ ସୁଖ ଦିଅ ପଦ୍ମମୁଖ
ଦୁଃଖ ପଛେ ମୋତେ ଦିଅ ,
ମୋଆୟୁଷ ନିଅ ମୋପୁତ୍ରକୁ ଦିଅ
ସୁଖରେ ରହୁ ମୋପୁଅ । ୯ ।
ପୁତ୍ର କେବେ ଦିନେ ଯାଏ ଅନ୍ୟ ସ୍ଥାନେ
ମାତା ଚାହିଁଥାଏ ପଥ,
କେତେବେଲେ ମୋର ଫେରିବ କୁମର
ଘୁରି ଯାଏ ମାତା ମାଥ । ୧୦।
ମାତା ଜାଣେ ସିନା ପୁତ୍ରର ବେଦନା
ବନ୍ଧ୍ୟାକି ଜାଣିବ ତାହା,
ଅନ୍ଧକି ଜାଣିବ କଜ୍ଜଳ ମହିମା
ମଣି ବିନା ଫଣି ଯାହା । ୧୧ ।
ତା ମମତା ମୂଳ ପରିଶୋଧ ପାଇଁ
ଶକ୍ତି ନାହିଁ ଆମ୍ଭଠାରେ,
କେବଳ ତାସେବା ଯଦ୍ୟପି କରିବା
କିଛି ଭକ୍ତି ମିଳିପାରେ ।୧୨ |
ମାତା ତୋଷହେଲେ ଦେବଗଣ ତୋଷ
ହୁଅନ୍ତି ସନ୍ତାନ ପ୍ରତି,
ଆଶିର୍ବାଦ ଦେଇ କରନ୍ତି କଲ୍ୟାଣ
ଧନ୍ୟ ଧନ୍ୟ ହେ ସନ୍ତତି । ୧୩ ।


ଅନ୍ତର୍ଯ୍ୟାମୀ ସାହୁ
ପଲମ/କେସିଙ୍ଗା/କଳାହାଣ୍ଡି