Sahitya Jibana

Portal on odia literature

ବୁଝେନା କିଛି – ସୁକାନ୍ତ ଖଣ୍ଡା

1 min read

ମହେନ୍ଦ୍ର ନିଜ ଜୀବନକୁ ତଉଲୁ ଥିଲା। ସେ ନିଜର କର୍ମ ଓ ଧର୍ମରେ ପଛଘୁଞ୍ଚା ଦେଉ ନ ଥିଲା। ଦିନରାତି କର୍ମ ଓ ଧର୍ମ ବିନା ନିଜକୁ ଅସହାୟ ମଣୁଥିଲା। ତା’ର ଏହି ଗୁଣ ପାଇଁ ପତ୍ନୀ ବେଳେବେଳେ ଗରଗର ହୁଅନ୍ତି। ସେ କହନ୍ତି କି ଏ ଶୁଖିଲା କାଠଟାକୁ ବିବାହ କରି ଜୀବନକୁ ମାଟି କରିଦେଲି। ଜୀବନ କାଳରେ କେବେ ଭଲରେ କିଛି ସୁସ୍ବାଦୁ ଜିନିଷ ଖାଇବା କି କୁଆଡେ଼ ଭ୍ରମଣରେ ଯିବା ହେଲା ନାହିଁ। ଧିକ ତା’ର ଜୀବନ। ସେ ବିବାହ କରି ମସ୍ତବଡ଼ ଭୁଲ କରିଛି। ଏ କଥା ମହେନ୍ଦ୍ରଙ୍କ କାନକୁ ଯାଏ। ସେ ନିଜକୁ ନିଜେ ଭାବେ ପତ୍ନୀର ସବୁ ଆବଶ୍ଯକତା ବୁଝୁଛି। ଯେତେବେଳେ ଯାହା ଦରକାର ପହଞ୍ଚାଇ ଦେଉଛି ହେଲେ ଭ୍ରମଣ ତା’ ଦେଇ ହୋଇ ପାରୁ ନାହିଁ କାରଣ କର୍ମ ନ କଲେ ଖାଇବା ବନ୍ଦ ପୁଣି ଧର୍ମ ନ କଲେ ଜୀବନ ବ୍ଯର୍ଥ। ସେ ତୁହାଇ ତୁହାଇ ଭାବିଚାଲେ ଓ ଆଖିରୁ ଲୁ଼ହ ବୁହାଇ ଦିଏ। ତା’ ଆଖିର ଲୁହ ଯେବେ ଥପଥପ୍ ଚିବୁକ ଦେଇ ବୋହିଯାଏ ମନର ହୃଦୟ କାନ୍ଦେ ଓ ବିବେକକୁ କହେ,”ଭାଇ ! ଦେଖି ପାରୁଛନ୍ତି ଆଖିର ଲୁହକୁ ଯିଏ ଗଡି଼ଗଡି଼ ବୋହି ଯାଉଛି ଓ ଶୁଖି ଯାଉଛି। ହେଲେ ଲୁହର ବେଦନା କ’ଣ ଆଖି ବୁଝୁଛି କି?” ବିବେକ ହସିଦେଇ ଚୁପ ରହେ ତ ମନ ପୁଣି କହିଉଠେ”,ଭାଇ ! ଆପଣ ଦେଖି ପାରୁଛନ୍ତି ହୃଦୟ ବିଦାରକ କୋହକୁ ହେଲେ କାହିକି କେଜାଣି ଛାତି କିଛି ବି ବୁଝୁ ନାହିଁ?” ଏ କଥାଶୁଣି ବିବେକ ନୀରବ ରହେ ଓ ଆଗକୁ ବଢେ଼। ଏଥର ଗଳା ଫଟେଇ ମନ କହିଲା,”ଭାଇ ! ଏ ଲୋକଗୁଡା଼ କାହିଁକି ମୋହରେ ଭାସୁଛନ୍ତି। ଲୋକଗୁଡା଼ଙ୍କ କଥା ଛାଡ଼ନ୍ତୁ ମହେନ୍ଦ୍ରର ପତ୍ନୀ କଥା ବିଚାର କରନ୍ତୁ ତ ନିଜର ସ୍ବାର୍ଥ ସାଧନ ପାଇଁ ଖାଲି ବୁଲିବା ବୁଲିବା ହେଉଛି। ବୁଲିଲେ ଯେ ଅର୍ଥଖର୍ଚ୍ଚ ଓ ଦେହ ପୀଡା଼ ପୁଣି କର୍ମ ଓ ଧର୍ମରେ ବିଘ୍ନ ଅଥଚ ଏତେ ମୋହରେ ବୁଡି଼ ଯାଉଛି ଯେ ତା’ର ସ୍ବାମୀ ସିନା ବୁଝିଲା ନାହିଁ ହେଲେ ସଂସାର ତ ବୁଝିବାର କଥା,ନୁହେଁ?” ଏଥର ବି ବିବେକ ହସିଦେଇ ମଉନ ରହିଲା ତ ମନ ପୁଣି କହିଲା,”ଭାଇ ! ମହେନ୍ଦ୍ରର ବୟସ ହେଲାଣି ତା’ର ବୟସର ଦୁଃଖରେ ଦୁଃଖୀତ ହେଲେ ତା’ର ଛାଇ ତ କିଛି ବି ବୁଝୁନି?” ଏହା ଶୁଣି ନ ଶୁଣିଲା ପରି ଅନ୍ଯମନସ୍କ ହୋଇଗଲେ ବିବେକ ତ ମନ ପୁଣି କହିଲା,”ଭାଇ ! ମହେନ୍ଦ୍ରର ମୃତ୍ଯୁ ହୋଇ ଗଲାଣି ଦେଖ ହେଲେ ତା’ର ସାଥୀଙ୍କର ଚିନ୍ତା ହିଁ ନାହିଁ। କିଛି ବି ବୁଝୁନି ନିଜର ପ୍ରିୟତମ ପ୍ରତି କେବଳ ତା’ ମନରେ ଦୁଃଖ କି ଜୀବନରେ କୁଆଡେ଼ ବି ବୁଲିବା ହେଲାନି। ଏହି ଛାପ ମନ ଓ ହୃଦୟରୁ ଲିଭୁନି।” ଏଥର ବିବେକ ଟିକିଏ ହସିଦେଇ ଚାଲିଗଲେ ତ ମନ ପଛଆଡୁ ଗୋଡେ଼ଇ ଗୋଡେ଼ଇ ଯାଇ କହିଲେ,”ଭାଇ ! ଆଜି ମହେନ୍ଦ୍ରର ମୃତ୍ଯୁ ହୋଇଗଲା ହେଲେ ତା’ ସମୟରେ ଯେଉଁ ସଙ୍ଗୀତ ସୁଖ ହେଉ କି ଦୁଃଖ ଜୀବନ ବୁଝିଲା ନାହିଁ କାହିଁକି?” ଏ କଥା ଶୁଣି ବିବେକ କହିଲା,”ମନ ! ଏ ସଂସାରରେ କେ଼ହି ବି ନିଜର ନୁହଁନ୍ତି। ଏଠି ଜଣେଜଣେ ସ୍ବାର୍ଥପର ପତ୍ନୀ,ପୁତ୍ର,ଭାଇ,ବନ୍ଧୁ କି ସହୋଦର ସଭିଏଁ ଆସିଥାନ୍ତି ରକ୍ତ ଷୋଷିବାକୁ ହେଲେ ଯିଏ ଅନୁଭବି ସେ ହିଁ ବୁଝେ ନିଜ ଜୀବନର ମୂଲ୍ଯ। ଏଠାରେ ମହେନ୍ଦ୍ର ନିଜ ଜୀବନର ମୂଲ୍ଯ ବୁଝିଥିଲା ବୋଲି ସଭିଙ୍କର ଇଛା ଓ ଆଶାକୁ ସଫଳ କରି ବି କର୍ମ ଓ ଧର୍ମକୁ ଛାଡୁ ନ ଥିଲା। ଫଳ ସ୍ବରୂପ ଦେଖ ସେ ବୈକୁଣ୍ଠ ପ୍ରାପ୍ତ ହୋଇଛି। ଏଥର ମନ ବୁଝିଲା କି ମଣିଷର ନିଜର ବୋଲି କେହି ନୁହେଁ ଯାହା ହୁଏ ଈଶ୍ବରଙ୍କ ଦ୍ବାରା ହିଁ ହୁଏ। ସେ ବିବେକଙ୍କୁ ପ୍ରଣାମ ଓ ଧନ୍ଯବାଦ ଦେଇ ନୀରବ ରହିଲା। ଦୂରରେ ଥାଇ ବିବେକ ମୁରୁକି ମୁରୁକି ହସୁଥିଲେ।

ସୁକାନ୍ତ ଖଣ୍ଡା, କେନ୍ଦୁଝର