Sahitya Jibana

Portal on odia literature

ମୋ ଅର୍ଦ୍ଧାଙ୍ଗିନୀ – ରାଜେନ୍ଦ୍ର କୁମାର ବିଷୋୟୀ

1 min read

ସୁଖରେ ଦୁଃଖରେ ସହଭାଗୀ ଯିଏ
ସେହି ପରା ମୋର ସହଧର୍ମିଣୀ
ମା’ ପରି ଯିଏ ଭଲ ମନ୍ଦ ବୁଝେ
ସେହି ତ ଅଟଇ ମୋ ଅର୍ଦ୍ଧାଙ୍ଗିନୀ ।
ବାପା ମା’ ଘର ପର କରି ଦେଇ
ଏରୁଣ୍ଡି ବନ୍ଧ ମୋ ଡେଇଁଛି ଯିଏ
ବଧୁ ବେଶ ତା’ର ଆହା କି ସୁନ୍ଦର
ଅର୍ଦ୍ଧାଙ୍ଗୀନୀ ମୋର ସିଏ ବୋଲାଏ ।
ପିରତି ସମୟେ ବେଶ୍ୟା ପରି ସିଏ
ତୋଷୁଥାଏ ମନ ଦେଇ ଚୁମ୍ବନ
କୋପ ସମୟରେ ଦାସୀ ପରି ସିଏ
ବୁଝାଉଥାଏ ମୋ କ୍ରୋଧାଗ୍ନି ମନ ।
ଭୋଜନ ସମୟେ ଜନନୀ ପରି ମୋ
ପାଖେ ବସି କହେ ଦି’ ଗୁଣ୍ଡା ଖୁଅ
ବିପଦ ବେଳରେ ମନ୍ତ୍ରୀ ପରି ସିଏ
ସୁଚିନ୍ତିତେ କୁହେ ଏ ପଥେ ଯାଅ ।
ହାତକୁ ଦିହାତ ହୋଇ ଗଲି ବୋଲି
ମୋ ମନ ମନ୍ଦିରେ ଆସିଲା ସିଏ
ବିନା ବେତନର ଚାକରାଣୀ ସାଜି
ପ୍ରତ୍ଯୁଷୁ ପ୍ରଦୋଷେ କର୍ମୀ ବୋଲାଏ ।
ଏ ମାୟା ସଂସାରେ ଗର୍ଭକଷ୍ଟ ସହି
ମାଆ ସାଜିଲା ମୋ ପିଲାଛୁଆର
ପରିବାର ରୂପି ଦେବାଳୟକୁ ମୋ
ନିଜ ହାତେ ନିଜେ କଲା ସୁନ୍ଦର ।
ଆତ୍ମସୁଖ ସବୁ ଜଳାଞ୍ଜଳି ଦେଇ
ନିଜେ ଜଳିଗଲା ସଳିତା ପରି
ମୋ ପରିବାରର ସୁରକ୍ଷା ପାଇଁକି
ଶତ୍ରୁ ସଙ୍ଗେ ଲଢ଼େ କାଳିକା ପରି ।
ପ୍ରେରଣା ଦାୟିନୀ ସ୍ନେହ ସୁହାଗିନୀ
ଜୀବନସାଥୀ ମୋ ମନମୋହିନୀ
ଯାହା ପାଇଁ ମୋର ଜୀବନ ମଧୁର
ସିଏ ତ ଅଟଇ ମୋ ଅର୍ଦ୍ଧାଙ୍ଗିନୀ ।
*****************

ରାଜେନ୍ଦ୍ର କୁମାର ବିଷୋୟୀ
ପଳାସପଲ୍ଲୀ ,ଗଞ୍ଜାମ

Copyright © Sahitya Jibana | Newsphere by AF themes.