Sahitya Jibana

Portal on odia literature

ନାରୀ ସଶକ୍ତିକରଣ – ରାକେଶ କୁମାର ସାହୁ , ଅନୁଗୁଳ

1 min read
seashore under white and blue sky during sunset

ହଜାର ହଜାର ମହମବତୀ ଗଡୁଥାଏ ରାଜରାସ୍ତାରେ
କିଛି ଅଧାଜଳା ଆଉ ଅନେକ ପୂରା।
କ’ଣ ଯଥେଷ୍ଟ ମହମବତୀ ସବୁର ଏ ତ୍ୟାଗ ?
ହେଇପାରେ ଫେସନ୍ କିମ୍ବା ଯୋଜନା,
କିନ୍ତୁ ଏହା ମୂଲ୍ୟହୀନ।
ଏହା ନିରନ୍ତର, ଏଥିରେ ନଥାଏ ସନ୍ତୁଷ୍ଟି।
ଚାଲିବ ଏମିତି ବର୍ଷ ବର୍ଷ ଧରି
ଆଉ ପଞ୍ଜୁରୀରେ ସୁଦ୍ଧା ନାରୀ ନଥିବ ସୁରକ୍ଷିତ।
ଅନେକ ନିର୍ଭୟା, କେତେ କେତେ ପ୍ରିୟଙ୍କା
ଆସିବେ ଯିବେ,
ଆଉ ଏ ସମାଜ ଟହଲ ମାରୁଥିବ
ଆଉ ମହମବତୀ ଧରି।
ଆସିବ ସେଇ ବୁଭୁକ୍ଷୁ ପିପାସୁ ରାକ୍ଷସ,
ପିଇଯିବ ତା’ ରୁଧିର
ଖାଇଯିବ ତା’ କୋମଳ ମାଂସ
ଆଉ ରଚିଯିବ ଅମାନୁଷିକ ଗାଥା
ମାନବିକତାକୁ ଭୁଲି।
ଆମେ ଅତିମାନବୀୟ ଭାବନା ରାଜ୍ୟରେ,
ଆମେ ଭଦ୍ରଲୋକ ଏଇ ପାପୀ ସମାଜରେ
ମାତ୍ର ବାସ୍ତବରେ
ଆମେ କାପୁରୁଷ
ଆମେ ବୀର କେବଳ ଆମ ଶବ୍ଦ ଚାତୁରୀରେ।
ନର ଦାନବ ଖେଳେ ଏଠି ଲୁଚକାଳି
ତତ୍ପର ଥାଏ କରିବାକୁ ପାପ ଭେଳି କି ଭେଳି।
ଉଠେ କେତେ ନିନ୍ଦା ଅପବାଦ,
ହୁଏ ରାଜରାସ୍ତାରେ କେତେ ଧାରଣା,
ଶୁଭେ ବଡବଡ଼ିଆଙ୍କ ବାହାସ୍ପଟ,
ଚାରିଆଡ଼େ ଖାଲି ଛି ଛାକର ସେ କୁକର୍ମକୁ ନେଇ।
ମାତ୍ର କିଛି ଦିନ ପରେ
ଶାନ୍ତ ହୁଏ ସେ ଝଡ଼
ଶିଥିଳ ହୁଏ ସବୁ ଲୋକ ଦେଖାଣିଆ ବାଣୀ।
ଉଠେ ସେ ସୁପ୍ତ ଦାନବ
ଖେଳାଇଦିଏ ପାପର କୁହୁଡି
ଆଉ ପ୍ରମାଣିତ କରେ ନିଜକୁ
ଏକ କାମାସକ୍ତ ନର ରାକ୍ଷସ।
କ’ଣ ଏ ସ୍ଥାନ ନିରାପଦ ?
କ’ଣ ନାରୀ ଏଠି ସୁରକ୍ଷିତ ଆଉ ସ୍ଵାଧୀନ ?
ଯେଉଁଠି ଭଉଣୀ ଟିଏ ପ୍ରତାରିତା,
ମାଆ ଟିଏ ନିଷ୍ପେସିତା,
ଝିଅ ଟିଏ ଧର୍ଷିତା,
ପ୍ରେମିକା ଟିଏ କବଳିତା,
ସ୍ତ୍ରୀ ଟିଏ ଅତ୍ୟାଚାରିତା।
କ’ଣ ଯଥେଷ୍ଟ ମହମବତୀ ସବୁର ଏ ତ୍ୟାଗ ?


ସତ୍ତ୍ବାଧିକାର ରାକେଶ କୁମାର ସାହୁ
ଅନୁଗୁଳ
ମୋବାଇଲ ନମ୍ବର- ୮୨୪୯୮୦୩୩୪୨