Sahitya Jibana

Portal on odia literature

ଗୁଡ଼ ଫ୍ରାଇ ଡେ – ଅଧ୍ୟାପକ ଡ଼. ପଦ୍ମଲୋଚନ ରାଉତ

1 min read

 

ଅଧର୍ମର ଭାର ବଢ଼ି ଥିଲା ଯେବେ
ଆସିଥିଲ ତମେ ଧାଇଁ
ଅତ୍ୟାଚାରେ ବିଶ୍ୱ ମାନବ ଯେଉଁଠି
ଡାକୁ ଥିଲା ତ୍ରାହି ତ୍ରାହି
ଅନ୍ଧକାର ଧରା ଧାମେ
ତମେ ଥିଲ ପ୍ରଭୁ ଆଶାର ଆଲୋକ
ଏ କଥା କିଏ ନ ଜାଣେ ! 1

ବୁଝି ପାରିଲାନି ଅନ୍ଧ ଶାସକ
କ୍ଷମତାରେ ହୋଇ ମତ୍ତ
ଅତ୍ୟାଚାରୀର ଦର୍ପ ଅହଂକାରେ
ବିଶ୍ୱ ହେଲା ଭୟ ଭୀତ
ଚାରି ଆଡ଼େ ହା ହା କାର
ସ୍ୱର୍ଗ ଲୋକରୁ ଆସିଅଛ ତମେ
ନାଶିବାକୁ ସ୍ୱାର୍ଥପର l 2

ତମେ ‘ଦେବ ଦୂତ ‘ଈଶ୍ୱର ସନ୍ତାନ
ପାପର ବିନାଶ ପାଇଁ
ଆର୍ତ୍ତି ଜନର ଆତୁର କ୍ରନ୍ଦନେ
କାନେ କାନେ ଗଲ କହି
ଅନ୍ଧକାର ଯିବ ହଟି
‘ଦେବ ପୁତ୍ର’ ହେ ବିଶ୍ୱ ରକ୍ଷକ
ଖୋଜୁଅଛି ଏଇ ମାଟି l 3

କିବା ଅପରାଧ ଥିଲା ହେ ତୁମର
ବୁଝିଛି କି ଏଇ ଧରା
ଫାଶୀ ଖୁଣ୍ଟରେ କ୍ରିଶ ବିଦ୍ଧ ହେଲା
ବୋହିଲା ରକତ ଧାରା
ବିଶ୍ୱ ହିତେ ପ୍ରାଣ ଦାନ
‘ଶୁଭ ଶୁକ୍ରବାର’ ପଵିତ୍ର ବେଳାରେ
ସକଳ ପ୍ରଣାମ ଘେନ l 4

ଆଜି ବି ସଙ୍କଟ ଟଳିନି ଧରାରୁ
ବଢ଼ି ବଢ଼ି ଚାଲେ ପାପ
ନର ରାକ୍ଷସ ଅତ୍ୟାଚାରରେ
ଲିଭିବ ଜୀବନ ଦୀପ
ଆତୁର ମର୍ମ ବ୍ୟଥା
କୋଟିଏ ମାନବ ଗୋଟିଏ ସ୍ୱରରେ
ଗାଏ ବାଇବେଲ ଗାଥା l 5

ହେ ପରମ ପିତା ଘେନ ମୋ ପ୍ରଣତି
ସଦ ବୁଦ୍ଧି ଦିଅ ବାରେ
ପ୍ରେମ ପ୍ଲାବିତ ହେଉ ଧରା ଧାମ
ଶାନ୍ତି ତଟିନୀ ନୀରେ
ପୁଣ୍ୟ ଆଶିଷ ବାରି
କର ଯୋଡି ବାରେ କରୁଛି ପ୍ରାର୍ଥନା
ଅହରହ ପଡ଼ୁ ଝରି
ଅନ୍ଧକାର ହେଉ ଦୂର
ଅଜ୍ଞାନ ଜୀବନେ ଜ୍ଞାନର ଆଲୋକ
ଦେବ ପୁତ୍ର ପ୍ରିୟ ମୋର l

****

ଅଧ୍ୟାପକ ଡ଼. ପଦ୍ମଲୋଚନ ରାଉତ
ଇଂରାଜୀ ସାହିତ୍ୟ,
ଗୋପବନ୍ଧୁ ଡିଗ୍ରୀ କଲେଜ, କାଲିମେଳା, ମାଲକାନଗିରି
ଗବେଷକ, କଳିଙ୍ଗ ବିଶ୍ୱବିଦ୍ୟାଳୟ, ରାଇପୁର.

(ପଵିତ୍ର Good friday ଅବସରରେ ସମସ୍ତଙ୍କୁ ମୋର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା )

[subscribe2]