Sahitya Jibana

Portal on odia literature

(ହୋଲି) ବସନ୍ତ ମିଳନ – ଅଜିତ କୁମାର ତ୍ରିପାଠୀ

1 min read

ଦେଖ ଆସେ ହୋଲି ଧୀରେ ଧୀରେ ହଲି
ବସନ୍ତ ଝୁଲାରେ ଝୁଲି
ଫଗୁଣ ସଙ୍ଗରେ ଅବିର ରଙ୍ଗରେ
ବିବିଧ ବର୍ଣ୍ଣାଳୀ ମେଲି ।।୧।।
ରାଇ ଦାମୋଦର ମିଲନ ଆସର
କଦମ୍ଵ କୁଞ୍ଜରେ ଥାଇ
ଯମୁନା ପୁଳିନ ହେଉଚ୍ଛି ଉଚ୍ଛନ୍ନ
ଏ ଦୃଶ୍ୟ ଦେଖିବା ପାଇଁ ।।୨।।
ଦୋଳ ପୂର୍ଣ୍ଣମୀରେ ଦେଉଳ ବେଦୀରେ
ରାଧା କୃଷ୍ଣ ବେନି ଥାଇ
ସୁନା ପାଲିଙ୍କିରେ ଫୁଲରେ ଫୁଲରେ
ବସିଛନ୍ତି ପୂଜାପାଇ ।।୩।।
ଦୋଳ ମେଳଣର ଅପୂର୍ବ ସମ୍ଭାର
ସଙ୍ଗତେ ଦେବତା ନେଇ
ସତେକି ସ୍ଵର୍ଗରୁ ଓହ୍ଲାଇ ମର୍ତ୍ତ୍ୟରୁ–
ଶୋଭା ସାଉଁଟିବା ପାଇଁ ।।୪।।
ହୋଇଛି ପ୍ରକୃତି ସଜେଇ ଯେମିତି
ଅପରୂପ ସୌନ୍ଦର୍ଯ୍ୟରେ
ଫୁଲ,ଫଳ ମାନ ଘେନି ଦରଶନ
କରିବାର ଉତ୍କଣ୍ଠାରେ ।।୫।।
ବିଞ୍ଚୁଛି ଚାମର ଶୀତଳ ସମୀର
ସୁମନର ମହକରେ
କୋକିଳ କୁଜନ ମ୍ରତ୍ତ୍ୟ ବୃନ୍ଦାବନ
ଚୂତ ଡାଳ ଗହଳରେ ।।୬।।
ଲତିକା କୁଞ୍ଜରେ ଭୃଙ୍ଗ ନୃତ୍ୟକରେ
ବିହଙ୍ଗଙ୍କ କାକଳୀରେ
ପୁଷ୍କର ସଲିଳ ମଧ୍ୟରେ କମଳ
ମରାଳଙ୍କ ଗହଳରେ ।।୭।।
ଆକାଶ ପାତାଳ ହସନ୍ତି ସକଳ
ଆହାକି ଆନନ୍ଦଭରେ
ନବ ଉନ୍ମାଦନା ନୂତପ ଭାବନା
ସଂଚାରୀ ସବୁ ହୃଦରେ ।।୮।।
ଏମନ୍ତ ଦୃଶ୍ୟରେ ଦେଖିବା ଖୁସିରେ
ଦେବାଦେବୀ ମର୍ତ୍ତ୍ୟପରେ
ଫଗୁର ରଙ୍ଗରେ ଫିଙ୍ଗି ପରସ୍ପରେ
ବୋଳି ଦେଲେ ଅବିରରେ ।।୯।।
ଏପରି ଭାବରେ ହୋଲି ଫଗୁଣରେ
ଆସେ ଫୁଲ ଝୁଲଣାରେ
ଜାତି,ବର୍ଣ୍ଣ,ଭେଦ ନରଖି ବିଭେଦ
ବୋଳି ଅବିର ରଙ୍ଗରେ ।।୧୦।।
ରଙ୍ଗର ପସରା ଧରିଅଛି ଧରା
ବାଣ୍ଟିବାକୁ ମର୍ତ୍ତ୍ୟପରେ
ସେ ରଙ୍ଗରେ ବୋଳି ରାଧା ବନମାଳୀ
ଦୋଳ ହୋଲି ମେଳନରେ ।।୧୧।।
ବିବିଧ ପ୍ରକାର ସଂସ୍କୃତି ଯାହାର
ସଭ୍ୟତାର ସମାଜରେ
ହୋଲିର ପରବ ତା ମଧ୍ୟେ ବିଭବ
ଧାର୍ମ,କର୍ମ ଭାବନାରେ ।।୧୨।।
÷+÷+÷+÷+÷+÷+÷+÷+÷+.

ଅଜିତ କୁମାର ତ୍ରିପାଠୀ (ଶିକ୍ଷକ)
ଗ୍ରାମ/ପୋଷ୍ଟ – କୁଲାଡ଼, ଭଞ୍ଜଭୂମି
ଭଞ୍ଜନଗର,ଗଞ୍ଜାମ – ୭୬୧୧୩୧
ଭ୍ରାମ୍ୟଭାଷ – ୯୪୩୮୧୮୯୯୪୮