Sahitya Jibana

Portal on odia literature

ଭଗବାନ ଙ୍କ ବିଚାର – ଅର୍ଜୁନ ସାହୁ

1 min read

ଥରେ ଭଗବାନ ବ୍ରାହ୍ମଣ ବେଶରେ ଜଣେ ଭକ୍ତଙ୍କ ସହ ମର୍ତ୍ତ୍ୟବାସୀଙ୍କୁ ପରୀକ୍ଷା କରିବାକୁ ଆସି ପ୍ରଥମେ ଜଣେ ଧନିକଙ୍କ ଘରେ ପହଞ୍ଚି ଦ୍ବାର ଦେଶରେ ଥାଇଡାକିଲେ,” ବାବୁ ଖାଇବାକୁ ଗଣ୍ଡିଏ ମିଳୁ ।ଭିତରେ ଥାଇ ଧନିକ ଜଣକ ଉତ୍ତର ଦେଲେ, “ଯା ଯା ,ଏବେ କିଛି ମିଳିବ ନାହିଁ ” ।ଵ୍ରାହ୍ମଣ ଭଗବାନ ପୁଣି ଡାକି କହିଲେ” ଆଞା, ଗରୀବ ଭୋକିଲା ବ୍ରାହ୍ମଣ ଦୁଇଜଣ ଶୁଖା ବାସି ଯାହା କିଛି ହେଉ ମିଳୁ ବାବୁ ତୁମର ବହୁତ ପୂଣ୍ୟ ହେବ ।ଏଥର ଧନିକଟି ଭିତରେ ଥାଇ ପାଟିକରି କହିଲା, “କହଲିପରା କିଛି ମିଳିବ ନାହିଁ, ଆରେ ଠେଙ୍ଗାଟା ଆଣ ତ, ଦି ପାହାର ଦେବି ଯେ ଯିବାପାଇଁ ତର ମିଳିବ ନାହିଁ!କହି ଧନିକ ଜଣକ ଗର୍ଜନ କରି ଦୁଇ ବ୍ରାହ୍ମଣ ଆଡକୁ ମାଡି ଆସିଲେ ।ଧନିକକୁ ନିଜ ଆଡକୂ ଆସୁଥିବା ଦେଖି ବ୍ରାହ୍ମଣ ରୂପୀ ଭଗବାନ ତର ତର ହୋଇ ଫେରିଯିବା ବେଳେ କହିଗଲେ, “ବାବୁ ତୁମର ଧନ ବୃଦ୍ଧି ହେଉ” ।ଏତିକି କହି ଭକ୍ତକୁ ନେଇ ସେଠାରୁ ଚାଲିଗଲେ । ଯାଇ ଗାଁ ଶେଷ ମୁଣ୍ଡରେ ପହଞ୍ଚିଲେ । ଗୋଟିଏ ବୃଦ୍ଧା କୁଟିରର ବାହାରେ ବସିଥିବା ଦେଖୀ ସେଠାରେ ପହଞ୍ଚି କହିଲେ ମା ,”ଏ ଗରୀବ ବ୍ରାହ୍ମଣ ଦୁହିଁଙ୍କୁ କିଛି ଖାଇବାକୁ ମିଳିବ ,ତୁମର ଧର୍ମ ହେବ”। ମା, ବୁଢ଼ୀ ଟି କହିଲା, ” ଆସ ପୁଅ,ଏଇ ଗାଈ ଖିର ଟିକିଏ ଅଛି ମିଶି କରି ପିଇଦେଇ ଯାଅ ,କ’ଣ ବା ଅଛି ଯେ ତୁମକୁ ଦେବି ” ।ଏଇ ଗାଈଟିହି ମୋର ସଂବଳ । ଏହାର ଖିର ଟିକିଏ ଵିକି ଯାହା ଦି ପଇସା ମିଳୁଛି ସେଥରେ ଚଳିଯାଉଛି,ଭଗବାନ ଭରଷା। ଅତିଥି ପରା ଦେବତା”। ଏହାପରେ ଭଗବାନ ଓ ଭକ୍ତ ଦୁହେଁ ତୃପ୍ତିର ସହ ଖିରତକ ପିଇ ଫେରିବା ବେଳେ “ଶୀଘ୍ର ଗାଈଟି ମରୁ”କହି ଚାଲିଗଲେ, ଭଗବାନଙ୍କ ଏହି ଉକ୍ତିରେ ବିସ୍ମୟ ହୋଇ ସାଥୀରେ ଥୀବା ଭକ୍ତ କିଛି ଦୂରଯାଇ କହିଲା। ପ୍ରଭୁ! ଆପଣଙ୍କର ଏ’କି ବିଚାର ।ଯିଏ ଖାଇବାକୁ ଗଣ୍ଡେ ନଦେଇ ପିଟିବାକୁ ଆସିଲା ତାକୁ ଆଶୀର୍ବାଦ ଦେଲେ । ଧନ ଵୃଦ୍ଧି ପାଇଁ କହିଲେ ଅଥଚ ଯିଏ ଆପଣଙ୍କୁ ଶ୍ରଦ୍ଧାରେ ଖାଇବାକୁ ଦେଲା ଏକମାତ୍ର ସଂବଳ ଗାଈଟି ଶୀଘ୍ର ମରିଯିବାକୁ କହିଲେ ବୁଢ଼ୀଟି କେମିତି ଚଳିବ ସତେ । ଏଥର ଭଗବାନ ଟିକିଏ ହସି ଦେଇ କହିଲେ ,ତୁମେ କିଛି ଵୁଝି ପାରିଲ ନାହିଁ । ଭକ୍ତ, ହେଉ ଆସ ଏଇ ଗଛ ତଳେ ବସିବା। ତୁମକୁ ସବୁ ବୁଝାଇ ଦେବି। ଏଥର ଭଗବାନ କହିବାକୁ ଆରମ୍ଭ କହିଲେ ,”ଦେଖ,ସେହି ଧନିକଟି ଧନ ଗର୍ବରେ ଅନ୍ଧ ବ୍ରାହ୍ମଣ ଦେବତା ମଧ୍ୟ ମାନୁନାହିଁ ।ଧନକ୍ଷୟ ଯାଉ କହିଥିଲେ ସେ ଆମ୍ଭଙ୍କୁ ସହଜରେ ଛାଡିଥାନ୍ତା? ବରଂ ମାଡ ଦିଅନ୍ତା,ତାର ଧନ ବୃଦ୍ଧି ସଙ୍ଗେ ପାପହି ବଢିବ ଆଉ ଶେଷରେ ନର୍କକୁ ଯିବ। ଆଉ ଏଇ ବୁୁଢୀଟି ସ୍ବଭାବରେ ଦୟାଶୀଳା । ଗାଈଟିଯୋଗୁଁ ସେଭଲଭାବେ ମତେ ଡାକି ପାରୁନାହିଁ, ଗାଈଟି ପରେ ସେ ସପୂର୍ଣ ମୋ ଉପରେ ନିର୍ଭର କରିଯିବ ।ସେତେ ବେଳେ ମୁଁ ତା ଦାୟିତ୍ୱ ମୋ ଉପରକୁ ନେଇଯିବି ,ମୋଭକ୍ତ୍ କେବେ ଉପବାସ ରେ ରହେନାହି, ନିରନ୍ତର ମୋତେ ଡାକିବାଦ୍ବାରା ଶେଷରେ ମୁଁ ସେମାନଙ୍କୁ ମୋ ପାଖକୁ ନେଇଯିବି।। ଏହାଶୁଣି ଭକ୍ତଜଣକ ଉପରକୁ ହାତ ଯୋଡି କହିଲା ,”ହେପ୍ରଭୁ ,ଧନ୍ଯ ତୁମର ଲୀଳା ,ଧନ୍ଯ ତୁମ ବିଚାର ।ହଁ ପିଲାଏ ,ଧନ ସଞ୍ଚୟ କର ,ମାତ୍ର ଗର୍ବ ନକରି ନମ୍ର ହୁଅ ,ଦାନଦିଅ ।

ଅର୍ଜୁନ ସାହୁ
(ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ) , ପୁରୀ